କେନ୍ଦ୍ରାପଡାରେ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା



କେନ୍ଦ୍ରାପଡ଼ା,୧୮ା୯: କେନ୍ଦ୍ରାପଡ଼ା ସହରର ଇଛାପୁର ସରକାରୀ ହାଇସ୍କୁଲ ପରିସରରେ ଟି.ଇ. ଓ ଏସସିଇଆରଟି ନିର୍ଦେଶାଳୟ, ଓଡିଶା ସହାୟତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଜୋନ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣୀ ଦାଶ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଜିର ଦିନରେ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ରାଜକନିକା ହାଟସାହି ହାଇସ୍କୁଲର ଶିକ୍ଷକ ନିରଞ୍ଜନ ବେହେରା ଓ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ଦାଶ ମଞ୍ଚ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଚାରପତି ଭାବେ ଡ୍ରାମା ତଥା ଯାତ୍ରା ନିର୍ଦେଶକ ଦିଲ୍ଲିପ କୁମାର ସାହୁ ଓ ଆକାଶବାଣୀ କଟକର କଳାକାର ଅଭିରାମ ନାୟକ ଯୋଗଦେଇଥିଲେ। ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଡେରାବିଶ ବ୍ଲକର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣୀ ଦାଶ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, ଯାତ୍ରା ନିର୍ଦେଶକ ଦିଲ୍ଲିପ କୁମାର ସାହୁ ଓ କଳାକାର ଅଭିରାମ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖୋର୍ଦ୍ଧା ଜିଲ୍ଲା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲ୍ଲା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଜଗତସିଂହପୁର ଜିଲ୍ଲାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରଘୁନାଥ ଦାସ, ଲାଲବାବୁ ଖାଁ, ପ୍ରଶାନ୍ତ କୁମାର ଦାସ, ଶୁଭେନ୍ଦୁ ନାୟକ, ମହେନ୍ଦ୍ର ବିଶ୍ୱାଳଙ୍କ ସମେତ ଇଛାପୁର ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ଖୋର୍ଦ୍ଧା ଜିଲ୍ଲାର କୃତି ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।


Discover more from

Subscribe now to keep reading and get access to the full archive.

Continue reading