
ପଟ୍ଟାମୁଣ୍ଡାଇ ୪/୧୦ –ଜନନୀ ସୁରକ୍ଷାକୁ ସର୍ବାଧିକ ଗୁରୂତ୍ୱ ଦେଉଥିବା ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ସରକାର ଉତମ ସ୍ୱାସ୍ଥ୍ୟ ସେବା ଓ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ଡାକ୍ତରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଜନନୀ ସୁରକ୍ଷାର ମୂଳ ଲକ୍ଷକୁ ସରକାର ଗୁରୂତ୍ୱ ନଦେଇ ବିଭିନ୍ନ ଜାଗାରେ ଡାକ୍ତରଖାନା ଖୋଲି ବାହାବାହା ନେଉଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରାଚଂଳ ରୁ ଗ୍ରାମାଂଚଳର ଏକାଧିକ ଜାଗାରେ ବିଶେଷଜ୍ଞ ଡାକ୍ତର ଅଭାବରୁ ସୁରକ୍ଷିତ ପ୍ରସବ ହୋଇପାରୁ ନଥିବା ଅଭିଯୋଗ ହେଉଛି । ପ୍ରସୂତୀ ମହିଳା ଭାଗ୍ୟକୁ ଆଦରି ଚିକିତ୍ସାଳୟକୁ ଯାଉଛନ୍ତି । ସୌଭାଗ୍ୟ ବସତଃ ସ୍ୱାଭାବିକ ପ୍ରସବ ହୋଇଗଲା ତ ଭଲ । ଅନ୍ୟଥା ଘରୋଇ ହସ୍ପିଟାଲକୁ ଯାଇ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ିଛି, ନଚେତ ଜୀବନ ଚାଲିଯିବାର ଭୟରେ କଟକ ବଡଡାକ୍ତରଖାନା ଗଡି ଭଡାକରି ଯାଉଛନ୍ତି । ଏବେବି ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ଲୋକଙ୍କ ପାଖରେ ଅପହଂଚ ହୋଇରହିଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ସାମାଜିକକର୍ମୀ ବିଜୟ ଦାସ କୁହନ୍ତି ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବକାଳୀନ ସେବାରେ ପର୍ଯ୍ୟାପ୍ତ ଯତ୍ନନେବା କ୍ଷେତ୍ରରେ ସଚେତନତା ସୃଷ୍ଟିକରାଯାଉଛି ।ପ୍ରସୂତିଙ୍କୁ ସହାୟତା ଦେବା ପାଇଁ ରାଜ୍ୟରେ ମମତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରସୂତିଙ୍କ କୁପୋଷଣ, ରକ୍ତହୀନତା ପ୍ରଭୃତି ଦୂର କରିବା ପାଇଁ ଗର୍ଭଧାରଣ ଦିନ ଠାରୁ ଅଙ୍ଗନବାଡ଼ି ଜରିଆରେ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । ସୁରକ୍ଷିତ ପ୍ରସବ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ପଂଚାୟତରେ କୋଟି କୋଟି ଟଙ୍କା ବ୍ୟୟରେ ସ୍ୱତନ୍ତ୍ର ମାତୃ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଛି। ପ୍ରସୂତୀଙ୍କୁ ଚିକିତ୍ସାଳୟକୁ ଆଣିବା ଓ ପ୍ରସବ ପରେ ନେଇ ଘରେ ଛାଡ଼ିବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ଏବଂ ପ୍ରସବ କାଳୀନ ପ୍ରୋସ୍ିହନ ରାଶି ପ୍ରଦାନ ଆଦିର ଅନେକ ବ୍ୟବସ୍ଥା କରାଯାଇଛି । ହେଲେ ବିଶେଷଜ୍ଞ ଡାକ୍ତର ଅଭାବରୁ ଚିକିତ୍ସାରେ ଅବହେଳା ଦେଖିବାକୁ ମିଳୁଛି ।
ଦେବାଶିଷ ପ୍ରଧାନ କୁହନ୍ତି ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁର ଅବସ୍ଥା ସୁଧାରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜନନୀ ସୁରକ୍ଷା ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ, ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ପରେ, ତାଙ୍କ ବ୍ୟାଙ୍କ ଆକାଉଂଟକୁ ୬୦୦୦ ଟଙ୍କା ସିଧାସଳଖ ଦିଆଯାଏ । ପଟ୍ଟାମୁଣ୍ଡାଇ ଅଂଚଳରେ ଏହି ପରିସ୍ଥିତିକୁ ଲୋକେ କ୍ରମାଗତ ଭାବେ ଅଙ୍ଗେ ନିଭାଇ ଅତିଷ୍ଠ ହୋଇପଡ଼ିଲେଣି ।
ପୁଷ୍ପଞଳି ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ଅଚଂଳରେ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ କଥା ଦୂରେ ଥାଉ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ତଥା ସ୍ୱତନ୍ତ୍ର ମାତୃ ଓ ଶିଶୁ ସୌଦ୍ଧରେ ପ୍ରସବ ନିମନ୍ତେ ପ୍ରତିଦିନ ଭର୍ତି ହେଉଥିବା ପ୍ରସୂତୀ ମହିଳାଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମହିଳାଙ୍କୁ କେନ୍ଦ୍ରାପଡା ଜିଲା ଚିତ୍ସାଳୟ ନଚେତ କଟକ ବଡ଼ ଡ଼ାକ୍ତରଖାନାକୁ ରେଫର କରାଯାଉଛି । ଯେଉଁମାନେ ଟିକେ ଅସଚେତନ ନିରୀହ ତଥା ସରଳ କିଛି ମୋଟା ଅଙ୍କର ଟଙ୍କା ଯୋଗାଡ କରି ଦେବାର ସାମର୍ଥ୍ୟ ଥିବା ଜଣାଯାଏ । ସେମାନଙ୍କ ଆକୁଳ ଆବେଦନ ନିବେଦନ ପରେ ସେମାନଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଅପରେସନ୍ କରାଇ ଅନାୟସରେ ପ୍ରସବ କରାଇଦିଅନ୍ତି । ବଡ଼ ବଡ଼ିଆ ଲୋକେ ବିଚରା ଭୟ ଭୀତ ହୋଇ ନିଜର ପ୍ରସୂତୀଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନଚେତ ଘରୋଇ ହସ୍ପିଟାଲ ବା ନର୍ସିଂହୋମକୁ ନେଇ ପ୍ରସବ କରାଇଥାନ୍ତି । ଆଉ ଗରିବ ଗରୁବା ପ୍ରସୂତୀଙ୍କର ସ୍ୱାଭାବିକ ପ୍ରସବ ବିନା ଜଟିଳତା ଦେଖାଦେଲେ ଜୀବନ ଯିବା ଥୟହୋଇଥାଏ ।
ରବି ଭଟ୍ଟ କୁହନ୍ତି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଏବଂ ମା ଓ ଶୀଶୁ ଶୌଦ୍ଧ ଉପରେ ନିର୍ଭର କରୁଛନ୍ତି ୫ଟି ବ୍ଲକର ରୋଗୀ । ଏପରିକି ବାହାର ଜିଲ୍ଲା ସିମାବର୍ତୀ ଅଂଚଳର ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି । ହେଲେ ବିଶେଷଜ୍ଞଙ୍କ ଅଭାବ ଏବେ ଏହି ଉପଖଣ୍ଡ ଲାଗି ଚିନ୍ତା ବଢାଇଛି । ନିରୀକ୍ଷଣ ଯୋଜନାରେ ଗର୍ଭବତୀଙ୍କୁ ମାଗଣା ଅଲଟ୍ରାସାଉଣ୍ଡ ଚିକିତ୍ସା କରାଯାଉଛି। ଜନନୀ ସୁରକ୍ଷାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାର କେନ୍ଦ୍ରୀୟ ଅନୁଦାନରେ ସବୁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ମାତୃ ଓ ଶିଶୁ ଚିକିତ୍ସାଳୟ ସ୍ଥାପନ କରାଯାଇଥିଲେ ମଧ୍ୟ ଏହାର ପରିଚାଳନାରେ ଚରମ ଉଦାସୀନତା ପ୍ରସୂତୀଙ୍କୁ ଘରୋଇ ହସ୍ପିଟାଲ ବା ନର୍ସିଂହୋମ୍କୁ ଯିବାକୁ ବାଧ୍ୟ କରୁଛି ବୋଲି ଅଭିଯୋଗ ହେଉଛି । ସରକାର ସମସ୍ତ ପ୍ରସୂତୀଙ୍କର ପ୍ରସବ ବିନା ଅର୍ଥରେ ସରକାରୀ ଚିକିତ୍ସାଳୟରେ ହୋଇପାରିବ । କେହି ନର୍ସିଂହୋମ ଯିବେ ନାହିଁ ବୋଲି ରାଜ୍ୟ ସରକାର ଗ୍ୟାରେଂଟି ନଦେଲେ ଲୋକଙ୍କ ସରକାର ବୋଲି ଡ଼ିଣ୍ଡିମ ପିଟିବାରେ ଲାଭ କ’ଣ ବୋଲି ସଚେତନ ମହଲରେ ପ୍ରଶ୍ନ କରାଯାଇଛି ।










