
ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ପଟ୍ଟାମୁଣ୍ଡାଇ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଙ୍ଗାଳିସାହି ପୂଜା ମଣ୍ଡପରେ ମା’ଙ୍କୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜା କରାଯାଉଛି। ମହାନବମୀ ଅବସରରେ ମା’ ଦୁର୍ଗାଙ୍କ ପାଖରେ ପାଳିତ ହେଉଛି କୁମାରୀ ପୂଜା। ଦେବୀ ରୂପରେ ସଜେଇ ହୋଇଛନ୍ତି ୯ ଜଣ କୁନି କୁନି ଝିଅ। ମୁଣ୍ଡରେ ଓଢଣୀ ପକାଇ, କପାଳରେ କୁମକୁମ ଓ ପାଦରେ ଅଳତା ଲଗାଇଛନ୍ତି କୁମାରୀମାନେ।

ନବମୀରେ ୯ଜଣ କୁମାରୀଙ୍କ ପାଦ ଧୋଇ ଦେବା, ଅଳତା ଲଗାଇ କୁକୁମ ଲଗାଇ ମୁଣ୍ଡରେ ଓଢ଼ଣା ଢାଙ୍କି ଏହି କନ୍ୟାମାନଙ୍କୁ ଦେବୀ ରୂପରେ ସଜେଇ ପୂଜାର୍ଚ୍ଚନା କରାଯାଇଛି। ପରେ କୁମାରୀ ମାନଙ୍କୁ ଖାଦ୍ୟ ଖୁଆଇ ତାଙ୍କ ମନ ଇଚ୍ଛା ଉପହାର ପ୍ରଦାନ କରିଥିଲେ। ଏଭଳି ପରମ୍ପରାକୁ ବଜାଇ ରଖିବା ସହ ନଅ ଜଣ କୁମାରୀ ମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ଫଳ ପ୍ରାପ୍ତ ହୋଇଥାଏ ବୋଲି କମିଟି ସଭାପତି ବିଜୟ ଦାସ କହିଛନ୍ତି । ପଟ୍ଟାମୁଣ୍ଡାଇ ସହରରେ ଅନେକ ସ୍ଥାନରେ ଦୁର୍ଗା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିଲେ ମଧ୍ୟ ବଙ୍ଗାଳି ସାହିର ଏହି ନିଆରା ଦୁର୍ଗାପୂଜା ଦେଖିବାକୁ କାହିଁ କେଉଁଠୁ ଭକ୍ତମାନେ ଏଠାକୁ ଆସି ମା’ଙ୍କ ଆଶୀର୍ବାଦ ନେଇଥାନ୍ତି। ଏପର କି ସନ୍ଧ୍ୟାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି। ରଙ୍ଗୀନ ଆଲୋକମାଲାରେ ଝଲସି ଉଠୁଛି ମଣ୍ଡପ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଣ୍ଡଉପରେ ଝୁଣାପୋଡା, ସିନ୍ଦୂରଖେଳ, କୁମାରୀପୂଜା ଭଳି ପରମ୍ପରାକୁ ନେଇ ପଟ୍ଟାମୁଣ୍ଡାଇର ପାର୍ବଣ ସ୍ୱତନ୍ତ୍ର।











