ପଟ୍ଟାମୁଣ୍ଡାଇ ୨୬/୧୦ -ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି। ବାତ୍ୟା ଦାଉରୁ ରକ୍ଷା ପାଇଁ ଲୋକମାନଙ୍କୁ ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ବିଭିନ୍ନ ପ୍ରକାର ଅତ୍ୟାବଶକୀୟ ସାମଗ୍ରୀ ମହଜୁଦ ମଧ୍ୟ ରଖାଯାଇଛି । ମାତ୍ର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗାଁର କଲ୍ୟାଣ ମଣ୍ଡପ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଚରମବ୍ୟତିକ୍ରମ ଦେଖିବାକୁ ମିଳିଛି । ବାତ୍ୟା ଆଶ୍ରୟସ୍ଥଳୀରେ ଉପଯୁକ୍ତ ବ୍ୟବସ୍ତା ନଥିବା ଅଭିଯୋଗ କରି ଶନିବାର ଉତେଜନା ପ୍ରକାଶ ପାଇଥିଲା । ବଡପଡା ପାଇକେସ୍ଥା ଦଳିତ ସାହିର ୫୦ ଅଧିକ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ବଡପଡା ପଂଚାୟତ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ରଖିଥିବା ଦେଖିବାକୁ ମିଳିଛି ।

ଗ୍ରାମର ମହିଳି ପ୍ରଭାତୀ ମଳିକ, ସିଲୁ ମଲିକ, ବୃଦ୍ଧା ଜାନକୀ ମଲିକ, ସିବୁଆ ମଲିକ, ପ୍ରମୋଦ ମଲିକ, ଅଭିରାମ ମଲିକ ସମେତ ସାହିବାସୀଙ୍କ ଅଭିଯୋଗ ଅନୁଯାଇ ବଡପଡା ପାଇକେସ୍ଥା ଦଳିତ ସାହିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ ପରିବାର ବାସବାସ କରୁଥିବା ବେଳେ ପ୍ରାୟ ଅଧିକାଂଶ ଲୋକ ଚାଳଛପର ଘରେ ରହୁଛନ୍ତି । ଗୁରୁବାର ସକାଳୁ ପଂଚାୟତ ଦାଇତ୍ୱରେ ଥିବା ନ୍ୟାୟ ସରପଂଚ ବାତ୍ୟା ଆସିବା ନେଇ ଅସ୍ଥାଇ ଆଶ୍ରୟକେନ୍ଦ୍ର କଲ୍ୟାଣ ମଣ୍ଡପରେ ଆଶ୍ରୟ ନେବାପାଇଁ କହିଥିଲେ । ସାହିର ଲୋକମାନେ ଘରଛାଡ଼ି ଆଶ୍ରୟସ୍ଥଳୀରେ ପିଲାଛୁଆ ଧରି ପହଂଚିଥିଲେ । ମଧ୍ୟହ୍ନରେ ଚୁଡାଗୁଡ ପୁଡିଆ ଦିଆଯାଇଥିବା ବେଳେ ରାତିରେ ସେଠାରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିଲା। ଅନ୍ଧାର ରାତିରେ ସେଠାରେ ଆଲୋକର ବ୍ୟାବସ୍ଥା ନଥିବା ବେଳେ ମହମବତି ମଧ୍ୟ ଦିଆଯାଇନଥିଲା । ଦୋକାନ ବାଜାର ବନ୍ଦ ଥିବାରୁ କୌଣସି ଖାଦ୍ୟ କି ମହମବତୀ ପାଇପାରିନଥିଲୁ । ସେହିରାତିରେ ସାହିର କେତେ ଜଣ ଲୋକ ନିଜନିଜ ଘରକୁ ଆସି ଡିବିବତୀ ସହ ଘରେ ରହିଥିବା ପଖାଳ ଭାତ ନେଇ ଯିବାରୁ ପିଲାଛୁଆଙ୍କ ଜୀବନ ବଂଚିଥିବା ବେଳେ ବହୁ ଛୋଟ ପିଲାମାନେ ଉପାସ ଭୋକରେ ଶୋଇଥିଲେ। ଅନ୍ୟମାନେ ମଧ୍ୟ ଭୋକ ଉପାସରେ ରହିଥିଲେ । ସରକାର ବଡପଡା ହାଇସ୍କୁଲକୁ ଅସ୍ଥାଇ ବାତ୍ୟା ଆଶ୍ରୟସ୍ଥଳ ଘୋଷଣା କରିଥିଲେ । ମାତ୍ର ନ୍ୟାୟସରଂପଚ ବହୁଦିନ ଧରି ବନ୍ଦ ଥିବା ଅପନ୍ତରା ଘରେ କାହିଁକି ରଖିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ସେହି ଅପନ୍ତରା ଘରେ ବହୁ ସରିସୃପ ବାହରିଥିବାର ମଧ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏ ଅବ୍ୟବସ୍ଥା ଅତ୍ୟନ୍ତ ଦୁଃଖ ଦାୟକଥିଲା। ବାତ୍ୟାର ଭୟରେ ସାହିବାସୀ ସୁରକ୍ଷିତ ସ୍ଥାନକୁ ଆସିଥିଲେ । ହେଲେ ଅସ୍ୱାସ୍ଥ୍ୟକର ଘରେ ଖାଦ୍ୟ ପାନୀୟ ନପାଇ ଉପାସ ଭୋକରେ ଶୋଇବା ଜିଲ୍ଲା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା ସହିତ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରଶାସନର ଏମିତି ଅବ୍ୟବସ୍ଥାକୁ ନେଇ ଲୋକମାନେ ଉତେଜିତ ହୋଇ ଶନିବାର ପଂଚାୟତ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବସିଥିଲେ । ଏନେଇ ଦାଇତ୍ୱରେ ଥିବା ନ୍ୟାୟ ସରପଂଚ ସୋମନାଥ ଦାଶଙ୍କୁ ପଚାରିବାରେ ଯେଉଁ ମାନେ ତାଲା ପକାଇଚନ୍ତି ସେ ସାହିରେ ସବୁ କୋଠାଘର ବାଲା ସେମାନେ ଖାଦ୍ୟ ପାଇଚନ୍ତି । କଲ୍ୟଣ ମଣ୍ଢପ ଅସ୍ଥାଇ ଆସ୍ରୟ ସ୍ଥଳରେ ପୁଡିଆଦିଯାଇଥିଲା । ମାତ୍ର ଯେତିକି ରନ୍ଧା ଖାଦ୍ୟ ହୋଇଥିଲା ତାହା ଅଘଟ ପଡିଲା ସେଥିନେଇ ଦିଆଯାଇପାରି ନଥିଲା ।











