ସୁରଭି କାର୍ଯ୍ୟକ୍ରମରେ ଅନଭିଜ୍ଞ ବିଚାରକ, ଅଭିଯୋଗ କଲେ ଅଭିଭାବକ



କେନ୍ଦ୍ରାପଡ଼ା,୫ା୧୧: କେନ୍ଦ୍ରାପଡା ବ୍ଲକ ଅଧିନ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟରେ ନିକଟରେ ଅନୁଷ୍ଠିତ ହୋଇଥିବା ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମରେ ଅନଭିଜ୍ଞ ବିଚାରକ ମଣ୍ଡଳୀଙ୍କୁ ସାମିଲ କରାଯାଇଥିବା ନେଇ କେତେକ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଭାବକମାନେ କହିଛନ୍ତି ଏହି କାର୍ଯ୍ୟକ୍ରମରେ ସରକାରୀ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରାଯାଇଛି। ବିଚାରକ ମଣ୍ଡଳୀ ନିର୍ଦ୍ଦିଷ୍ଟ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି। ମାର୍ଗଦର୍ଶିକା ଅନୁଯାଇ ନୃତ୍ୟରେ ବାର୍ତ୍ତା, ପ୍ରଚାର ଓ ପ୍ଲାକାର୍ଡର ବ୍ୟବହାର କରିବାକୁ ବାରଣ କରାଯାଇଥିବା ବେଳେ ଏଥିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ସେହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଦଳଗତ ନୃତ୍ୟରେ ମଞ୍ଚରେ ୬ଜଣ ନୃତ୍ୟ ପ୍ରଦର୍ଶନ କରିବା ଓ ଜଣେ ଆଙ୍କରିଂ କରିବା ନିୟମ ରହିଥିବା ବେଳେ ୭ଜଣଙ୍କୁ ନୃତ୍ୟ କରିବାର ଦେଖାଯାଇଥିଲା। ପ୍ରଥମ ହୋଇଥିବା ଦଳର ନାମ ଘୋଷଣା ପୂର୍ବରୁ ବିଚାରକ ମଣ୍ଡଳୀଙ୍କୁ ସେହି ଦଳର ଛାତ୍ରାଭିଭାବକମାନେ ନିଜ ଆଡକୁ ଆକର୍ଷିତ କରିଥିଲେ। ମଣ୍ଡଳ ସ୍ତରୀୟ ସୁରଭି ପ୍ରତିବର୍ଷ ସ୍ଥାନ ପରିବର୍ତ୍ତନ ହେବା ନେଇ ନିୟମ ରହିଥିବା ବେଳେ ଦୁଇବର୍ଷ ହେବ ସେହି ଗୋଟିଏ ବିଦ୍ୟାଳୟରେ କରାଯାଉଛି। ଏହାଦ୍ୱାରା ଶିଶୁମାନଙ୍କ ମାନସିକତା ଉପରେ ପ୍ରଭାବ ପଡୁଛି। ବିଚାରକମଣ୍ଡଳୀ ଅନ୍ୟ ବ୍ଲକରୁ ଆସିବାର ନିୟମ ରହିଥିବା ବେଳେ ଏହି ବ୍ଲକର ବିମଳ ପରିଡା ଓ କଳାକାର ପଣ୍ଡାଙ୍କୁ ବିଚାରକ ଭାବେ ରଖାଯାଇଥିଲା। ଯାହା ଆଇନ ବିରୋଧୀ କାର୍ଯ୍ୟ ବୋଲି ଦିବାକର ବେହେରା, ଦିଲ୍ଲିପ ନାୟକ, କବିତା ବେହେରା, ଭାଷ୍କର ସାମଲ, ସର୍ବେଶ୍ୱର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀମାନେ ଏହାର ନକଲ ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ, କେନ୍ଦ୍ରାପଡା ବିଧାୟକଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।


Discover more from

Subscribe now to keep reading and get access to the full archive.

Continue reading