
କେନ୍ଦ୍ରାପଡା ୧୫/୧୨: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ ସହ ସମ୍ପାଦକ ବଂଶୀଧର ମହାନ୍ତି ୨୦୨୫-୨୬ ଆର୍ôଥକ ବର୍ଷରେ ଅନୁଷ୍ଠାନ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ। ଏହାପରେ କୋଷାଧକ୍ଷ ଶିବଚରଣ ସାମଲ ୨୦୨୪-୨୫ ଆର୍ôଥକ ବର୍ଷ ଆୟବ୍ୟୟର ଅଡିଟ୍ ରିପୋର୍ଟକୁ ଉପସ୍ଥାପିତ କରିଥିଲେ। ଆଲୋଚନା ମାଧ୍ୟମରେ ଉକ୍ତ ରିପୋର୍ଟଟିକୁ ଗୃହୀତ କରାଯାଇଥିଲା। ଏହାପରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ରାଉତରାୟ ପୁନର୍ବାସ ଅନୁଷ୍ଠାନ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନର ସହଯୋଗିତା ପ୍ରାପ୍ତ ହେବା ଏବଂ ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ହେଉଥିବା ଦ୍ୱି-ମାସିକ ଦ୍ୱି-ଭାଷିକ ଭିନ୍ନକ୍ଷମତା ସମ୍ପର୍କିତ ସ୍ୱତନ୍ତ୍ର ସମ୍ବାଦପତ୍ର “ପୁନର୍ବାସ ସମାଚାର”କୁ ଆଇଏସ୍ଏସ୍ଏନ୍ ଦ୍ୱାରା ସ୍ୱୀକୃତି ମିଳିବା ଚଳିତ ବର୍ଷର ଦୁଇଟି ଉଲ୍ଲେଖଯୋଗ୍ୟ ସଫଳତା ବୋଲି ମତ ପ୍ରକାଶ କରିଥିଲେ। ଏହି ବାର୍ଷିକ ବୈଠକରେ ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ, ସଂଗ୍ରାମ ଚୌଧୁରୀ, ପ୍ରଶାନ୍ତ କୁମାର ସିଂହ, ଶେଷଦେବ ପ୍ରସାଦ ଦାସ, ଜିତେନ୍ଦ୍ର କୁମାର ରାଉତ, କ୍ଷୀରୋଦ କୁମାର କର, ଅମରିନ୍ ସାହାଦତ୍, ସଞ୍ଜୟ କୁମାର ଜେନା, ମହମ୍ମଦ୍ ଜାହିଦ ଖାନ୍,ପ୍ରଫୁଲ କୁମାର ବେହେରା ଓ ଅନୁଷ୍ଠାନର ସଭାପତି ଓ ସମ୍ପାଦିକା ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନ୍ୟତମ ଉପଦେଷ୍ଟା ତଥା ସଭ୍ୟ ପ୍ରଭାସ ଚନ୍ଦ୍ର ଦାସ ଓ ସାମାଜିକ ଅର୍ଥନୀତି ବିଶାରଦ ଶୁଭଙ୍କର ନାୟକ ସାମାଜିକ କ୍ଷେତ୍ରରେ ସଂଗଠିତ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନର ଉପସଭାପତି ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।











