ଆହତ କୁକୁରକୁ ଚିକିତ୍ସା କଲେ ଗ୍ରାମବାସୀ


କେନ୍ଦ୍ରାପଡ଼ା,୧୦ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମରେ ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ଭାଙ୍ଗି ଯାଇଥିବା କୁକୁରକୁ ଚିକିତ୍ସା କରାଯାଇଥିଲା । ଗତ ତିନିଦିନ ହେବ ବୁଲା କୁକୁରଟି ରାସ୍ତାରେ ଶୋଇଥିବା ବେଳେ ଏକ ଅଜଣା ଗାଡି ଚଢି ଯାଇଥିଲା । ଯାହାଫଳରେ ତାହାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ସେ କୁଆଡେ ଯାଇ ନପାରି ବିକଟାଳ ରଡି ଛାଡୁଥିଲା । ଏହା ଦେଖି ଗ୍ରାମବାସୀମାନେ ତାକୁ ଖାଇବାକୁ ଦେଇଥିଲେ। ଚିକିତ୍ସା ପାଇଁ ଗ୍ରାମର ଯୁବକ ଲକ୍ଷ୍ମୀକାନ୍ତ ନାୟକ ପ୍ରାଣୀ ଚିକିତ୍ସକ ହରିହର ନାୟକଙ୍କୁ ଖବର ଦେଇଥିଲେ। ଫଳରେ ହରିହର ନାୟକ ଘଟଣା ସ୍ଥଳକୁ ଆସି କୁକୁରର ଚିକିତ୍ସା କରିଥିଲେ। ତାଙ୍କ ସହିତ ଗୁଲନଗର ପଞ୍ଚାୟତର ପ୍ରାଣୀଧନ ନିରୀକ୍ଷକ ତୁଷାର ରଞ୍ଜନ ନାୟକ ଓ ଡେରାବିଶ ଗ୍ରାମର ଜିତେନ୍ଦ୍ର ଦାସ ଆହତ କୁକୁରକୁ ସୁରକ୍ଷିତ ସ୍ଥାନକୁ ନେଇ ତାହାର ଚିକିତ୍ସା କରିଥିଲେ । ତାକୁ ଆଣ୍ଟିବାୟୋଟିକ୍ ସହିତ ଯନ୍ତ୍ରଣା ନିରୋଧକ ଇଞ୍ଜେକ୍‌ସନ ଦେଇଥିଲେ। କୁକୁରର କ୍ଷତ ସ୍ଥାନରେ ଓøଷଧ ଲଗାଇଥିଲେ। ଏହିପରି କୁକୁରର କ୍ଷତ ଶୁଖିବା ପର୍ଯ୍ୟନ୍ତ ପ୍ରତିଦିନ ଚିକିତ୍ସା କରାଯିବ ବୋଲି ହରିହର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାରେ କୌଣସି ସ୍ଥାନରେ ପଶୁମାନଙ୍କୁ ରଖି ଚିକିତ୍ସା କରିବା ପାଇଁ ବ୍ୟବସ୍ଥା ନଥିବାରୁ ଏହି ଆହତ କୁକୁରକୁ ସେହିଠାରେ ଚିକିତ୍ସା କରାଗଲା। ତେଣୁ ବୁଦ୍ଧିଜୀବୀମାନେ ସୁରକ୍ଷିତ ସ୍ଥାନରେ ପ୍ରାଣୀମାନଙ୍କୁ ରଖି ଚିକିତ୍ସା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading