
କେନ୍ଦ୍ରାପଡ଼ା,୧୫ା୧୧: ଧରିତ୍ରୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମବାର୍ଷିକ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ (କଲ୍ୟାଣ ବିଭାଗ) କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ବିଧାୟକ ଡଃ. ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଲୋକସଭା ସଂସଦଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେରାବିଶ ବିଡିଓ ନମିତା ବାରିକ, ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, କେନ୍ଦ୍ରାପଡା ତହସିଲଦାର ତାପସ କୁମାର ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବଳଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକ ଉପଲକ୍ଷେ ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ଆଭାଷି ମାଧ୍ୟମରେ କରିଥିଲେ । ସ୍ୱାଧୀନତା ସଂଗ୍ରାମର ସ୍ୱର୍ଣ୍ଣିମ ଇତିହାସରେ ଜନଜାତିର ଯେଉଁ ଗୌରବମୟ ଯୋଗଦାନ ରହିଛି ତାକୁ ମନେ ପକାଇ ଦେବାକୁ କେନ୍ଦ୍ର ସରକାରଙ୍କ ଏହା ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାଷି ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଜନଜାତୀୟ ସଶକ୍ତିକରଣ ନିମନ୍ତେ ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଜାତି ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଲେ ଜିଲ୍ଲା, ରାଜ୍ୟ ଓ ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ ବୋଲି ସେ ମଧ୍ୟ ମତବ୍ୟକ୍ତ କରିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ସମସ୍ତ ବ୍ଲକରୁ ଆସିଥିବା ସମସ୍ତ ଜନଜାତି ବର୍ଗର ବ୍ୟକ୍ତି, ବ୍ଲକ ମଙ୍ଗଳ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।











