ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଥାନା ଅଧିକାରୀ


କେନ୍ଦ୍ରାପଡ଼ା,୨୪ା୧୧: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଆଳି ଥାନା ଅଧିକାରୀ। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ବ୍ରଜବନ୍ଧୁ ମହାରଣାଙ୍କ ପୁଅ ନିଶାମଣି ମହାରଣା ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ ଗତ ତା ୭.୧୦.୨୦୨୨ରିଖରେ ତାଙ୍କ ପୁଅ ଭାଗବତ ମହାରଣା ଓ ଜଗନ୍ନାଥ ମହାରଣା ସେହି ଗ୍ରାମର ପାରେଶ୍ୱର ସାହୁଙ୍କ ଘର ସମ୍ମୁଖରେ ଟ୍ରାକ୍ଟରରୁ ଓହ୍ଲାଇବା ବେଳେ ସେହି ଗ୍ରାମର ୧୦ଜଣରୁ ଉର୍ଦ୍ଧ୍ୱ ଗୁଣ୍ଡାଶ୍ରେଣୀର ଲୋକ ସଙ୍ଘବଦ୍ଧ ଭାବେ ତାଙ୍କ ପୁଅ ଦୁଇଜଣଙ୍କୁ ଘୋଷାଡି ତଳେ ପକାଇଦେଇ ନିସ୍ତୁକ ବିଧା ଗୋଇଠା ମାରିଥିଲେ। ପୁଅ ଦୁଇଜଣଙ୍କ ପାଟି ଶୁଣି ନିଶାମଣି ତାଙ୍କ ଝିଅ ସୁଭଦ୍ରା ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରନ୍ତେ ଆସାମୀମାନେ ପୁଅ ଦୁଇଜଣଙ୍କୁ ଛାଡିଦେଇ ନିଶାମଣି ଓ ସୁଭଦ୍ରାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଏଥିସହିତ ଗର୍ଭବତୀ ଥିବା ତାଙ୍କ ବୋହୁଙ୍କୁ ମଧ୍ୟ ସେମାନେ ମାଡମାରି ଜଖମ କରିଦେଇଥିବା ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ନିଶାମଣୀଙ୍କ ଅଭିଯୋଗ କ୍ରମେ ଆଳି ଥାନାରେ କେଶ ନମ୍ବର ୩୯୫/୨୦୨୨ରେ ଆଇପିସିର ୩୨୩, ୩୫୪(କ), ୫୦୬, ୨୯୪, ୩୭୯ ଓ ୩୪ଦଫାରେ ମାମଲା ରୁଜୁ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଅଦ୍ୟାବଧି ଗିରଫ କଲାନାହିଁ। ଫଳରେ ଏହାପର ଠାରୁ ଅଭିଯୁକ୍ତମାନେ ଆଳି ଥାନା ପୋଲିସକୁ ହାତରେ ରଖି ବିଭିନ୍ନ ସମୟରେ ନିଶାମଣି ଏବଂ ତାଙ୍କ ପରିବାର ନାମରେ ମିଥ୍ୟା କେଶ କରି ତାଙ୍କୁ ହଇରାଣ କରି ଆସୁଛନ୍ତି। ଏପରିକି ତାଙ୍କ ଛୋଟ ନାତିକୁ ମଧ୍ୟ ସେମାନେ ମାଡ ମାରିବାକୁ ପଛାଇ ନାହାନ୍ତି। ଏସମ୍ପର୍କରେ ନିଶାମଣି ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରାଞ୍ଚଳ ଆଇଜି ଓ ପୋଲିସ ମହାନିର୍ଦେଶକଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଅଦ୍ୟାବଧି ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ନିଶାମଣି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀ ଆଳି ଥାନା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନିଶାମଣିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିବା ନିଶାମଣି କହିଛନ୍ତି। କିନ୍ତୁ ଆଳି ଥାନା ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁନଥିବା ନିଶାମଣି ଅଭିଯୋଗ କରିଛନ୍ତି।