କେନ୍ଦ୍ରାପଡ଼ା,୬ା୧୨: ଆଜି କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍ ହୋଇଯାଇଛି । ଜିଲ୍ଲା ସଂଘ ସମ୍ପାଦକ ଶୁଭାଶୀଷ ସେନାପତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କାଉନସିଲର ତଥା ଯୁବ ନେତା ରଞ୍ଜିତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ବିଜେପି ଯୁବନେତା ତଥା ଏମ୍ପିଙ୍କ ପ୍ରତିନିଧି ସଲିମ ଖାନ ଏବଂ କାଉନସିଲର ତଥା ସମାଜସେବୀ କାଳୀପ୍ରସାଦ ମିଶ୍ର ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟିତ କରି କହିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଭାବାନ କ୍ରିକେଟ୍ ଖେଳାଳିଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ କରିବା ପାଇଁ ସହାୟକ ହେବ । ଏହି ଟୁର୍ଣ୍ଣାମେଣ୍ଟଟି ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଜିଲ୍ଲାରୁ ୧୦ଟି କ୍ରିକେଟ୍ କ୍ଲବ ଭାଗ ନେଇଛନ୍ତି । ଆଜି ଉଦ୍ଘାଟନୀ ଉତ୍ସବରେ ପଞ୍ଚୁପାଣ୍ଡବ କ୍ରିକେଟ୍ କ୍ଲବ ଓ କେନ୍ଦ୍ରାପଡା ଲାୟନ୍ସ କ୍ରିକେଟ୍ କ୍ଲବ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ଲାୟନ୍ସ କ୍ଲବ ବିଜୟ ଲାଭ କରିଥିଲା । ଆଜିର ଏହି ଖେଳକୁ ବିଶ୍ୱଜିତ ଅଧିକାରୀ ଓ ବାବୁ ପଣ୍ଡା ଅମ୍ପାୟାର ଭାବେ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ ଷ୍ଟାଡିୟମ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ । ଜିଲ୍ଲା କ୍ରିକେଟ୍ ସଂଘର ସମସ୍ତ ସଭ୍ୟ ଆକବର ଅଲ୍ଲୀ ଚନ୍ଦନ, ସୁବାଷ ସାହୁ, ବରଦାକାନ୍ତ ବରାଳ, ନିରଞ୍ଜନ ପତ୍ରୀ, ପ୍ରଫୁଲ୍ଲ ମଲ୍ଲିକ, ସମୀର ମହାପାତ୍ର, ଦୀପକ ବାରିକ, ସତ୍ୟପ୍ରକାଶ ତ୍ରିପାଠୀ, ହରିଶ କର, ଜଗନ୍ନାଥ ସାହୁ, ଜ୍ୟୋତି ଶତପଥୀ, ଚିରଞ୍ଜିବ ବଳ, ହରିହର ବେହେରା, ଅନୁପ ରାଉତ, ଅସିତ ଦାସ ପ୍ରମୁଖଙ୍କ ସହଯୋଗରେ ସଫଳତାର ସହ ଏହାକୁ ଉଦ୍ଘାଟନ କରାଯାଇଥିଲା । ଏହି ୧୦ଟି ଦଳ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୩୦ ଖେଳାଳିଙ୍କୁ ଓଡିଶା କ୍ରିକେଟ୍ ଆସୋସିଏସନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବ ବୋଲି ଜିଲ୍ଲା ସମ୍ପାଦକ ଶୁଭାଶୀଷ ସେନାପତି ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାରେ ବାଲାବାବା କ୍ରିକେଟ୍ କ୍ଲବ, ଆଳି କ୍ରିକେଟ୍ କାଉନସିଲ, ୧୧-ଷ୍ଟାର କ୍ରିକେଟ କ୍ଲବ, ଗୋପବନ୍ଧୁ କ୍ରିକେଟ୍ କ୍ଲବ, କେନ୍ଦ୍ରାପଡା ଟାଇଗର୍ସ୍, କ୍ଷେତ୍ରପାଳ ସ୍ପୋର୍ଟିଂ ୟୁନିୟନ, ପଞ୍ଚୁପାଣ୍ଡବ କ୍ରିକେଟ୍ କ୍ଲବ, କେନ୍ଦ୍ରାପଡା ଲାୟନ୍ସ, ବିଶ୍ୱାସ କ୍ଲବ, ନେତାଜୀ ୟୁଥ୍ କ୍ଲବ ଭାଗ ନେଇଛନ୍ତି ।