ଜିଲ୍ଲାସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ



କେନ୍ଦ୍ରାପଡ଼ା, ୧୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୪’ର ଶୁଭ ଉଦଘାଟନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଏହି ଜିଲ୍ଲାସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା-୨୦୨୪’ର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ନିମନ୍ତ୍ରିତ ଅତିଥି ଓ ଉପସ୍ଥିତ ଚାଷୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପ୍ରାଣୀସଂପଦ ଓ ମତ୍ସ୍ୟ ଚାଷ ଅନେକଙ୍କୁ ଦେଇଛି ନୂଆ ପରିଚୟ। ସେମାନଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ସହ ସେମାନଙ୍କ ମୁହଁରେ ଫୁଟାଇଛି ହସ । ଚାଷୀଙ୍କୁ ବର୍ଷସାରା ରୋଜଗାର ଯୋଗାଇଛି । ମତ୍ସ୍ୟ ଓ ପ୍ରାଣୀ ସଂପଦର ବିକାଶ ସମ୍ପ୍ରତି ଗ୍ରାମାଞ୍ଚଳ ଅର୍ଥନୀତିର ମେରୁଦଣ୍ଡ ଭାବେ ଉଭା ହୋଇଛି। ତେଣୁ ରାଜ୍ୟ ଅର୍ଥନୀତି ଓ ସାମାଜିକ ସଶକ୍ତିକରଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଏହି ମେଳା ଗୋପାଳକ, ପ୍ରାଣୀପାଳକ, ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଶେଷଜ୍ଞ ଏବଂ ବ୍ୟବସାୟିକ ସଂସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ । ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ନୂତନ ଜ୍ଞାନକୌଶଳ ସମ୍ପର୍କରେ ଚାଷୀମାନେ ଜାଣିବାର ସୁଯୋଗ ପାଇଥାନ୍ତି । ଆମ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ“ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ୫ବର୍ଷରେ୧୪୨୩ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ। ଗୋପାଳନ ଓ ମଇଁଷି ପାଳନ ପାଇଁ ୬୦ରୁ ୭୦ ପ୍ରତିଶତ ରିହାତି ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାର ହିତାଧିକାରୀମାନଙ୍କୁ ୫୦ ପ୍ରତିଶତ ରିହାତି ସହ ଓଡ଼ିଶା ବାହାରୁ କିଣୁଥିବା ଗାଈଙ୍କ ଦାମ ଉପରେ ୧୫ ପ୍ରତିଶତ ଅତିରିକ୍ତ ରିହାତି ଦିଆଯାଉଛି। ସେହିଭଳି “ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ” ଯୋଜନାରେ ୫ବର୍ଷ ନିମନ୍ତେ ୨ହଜାର ୨୩୯କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାର ସୁଫଳ ପ୍ରାୟ ୧୪ଲକ୍ଷ ମତ୍ସ୍ୟଜୀବୀଙ୍କୁ ମିଳିବ। ରାଜ୍ୟର ମତ୍ସ୍ୟଚାଷୀ, ପ୍ରାଣୀପାଳକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଏଥିରୁ ଯଥେଷ୍ଟ ଉପକୃତ ହେବେ ବୋଲି ମୁଖ୍ୟ ଅତିଥି ମତ ବ୍ୟକ୍ତ କରିଥିଲେ। ଉକ୍ତ ଶୁଭ ଉଦ୍ଘାଟନ ଉତ୍ସବ ପ୍ରାରମ୍ଭରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଭକ୍ତିପୁଷ୍ପ ପ୍ରଦାନ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ୨ଜଣ ମତ୍ସ୍ୟଚାଷୀ ଓ ୨ଜଣ ପ୍ରାଣୀ ପାଳକଙ୍କୁ ପୁରସ୍କୃତ କରାଯାଇଥିଲା। ୨ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ୩୬ ଟି ଷ୍ଟଲ ଖୋଲାଯାଇଥିଲା। ଏଥିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚାଷୀମାନେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ବିଭିନ୍ନ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading