ପଟ୍ଟାମୁଣ୍ଡାଇ ୨୬/୧୨ – ମୃତ୍ୟୁ କେତେବେଳେ ଆସେ କେହି କହିପାରିବେ ନାହିଁ । କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ । ସେଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଘଟିଛି ଓ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବାହାରିଥିବା ସ୍ୱାମୀ ହଠାତ ସ୍ତ୍ରୀଙ୍କ ମୃତ୍ୟୁ ଯୋଗୁଁ ଅଯୋଧ୍ୟା ଦର୍ଶନ ଅଧୁରା ରହିଯାଇଛି ।
ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡ଼ା ଗ୍ରାମର ଜୟରାମ ନାୟକ ଓ ପତ୍ନୀ ବାସନ୍ତୀ ନାୟକଙ୍କୁ ଧରି ଅଯୋଧ୍ୟା ଯିବା ପାଇଁ ପ୍ରସ୍ତୁତ ହୋଇ ଘରୁ ବାହାରିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ବସରେ ବସିଲା ପରେ ସ୍ତ୍ରୀ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲରେ ଭର୍ତି କରା ଯାଇଥିଲା । ଏଭଳି ଅବସ୍ଥାରେ ସ୍ତ୍ରୀ ସ୍ୱାମୀଙ୍କୁ ଅଯୋଧ୍ୟା ଯିବା ପାଇଁ କହିଲେ । ସ୍ୱାମୀ ବସରେ ବସି ଅଯୋଧ୍ୟା ଅଭିମୁଖେ ବାହାରି ଗଲେ । ତେବେ ବାରିପଦାରେ ପହଂଚିବା ବେଳକୁ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ରାତିରେ ସ୍ତ୍ରୀ ବାସନ୍ତୀ (୫୭)ଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ସ୍ତ୍ରୀ ବାସନ୍ତୀଙ୍କ ମୃତ୍ୟୁ ଖବର ପାଇ ସେହି ବୁଧବାର ରାତିରେ ସ୍ୱାମୀ ଜୟରାମ ଅଯୋଧ୍ୟା ଯାତ୍ରା ବାତିଲ କରି ବାରିପଦାରୁ ପଟ୍ଟାମୁଣ୍ଡାଇ ଫେରିଆସିଥିଲେ । ଗୁରୁବାର ଦିନ ପୁରୀ ସ୍ୱର୍ଗ ଦ୍ୱାର ନେଇ ବାସନ୍ତୀ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।