ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌



କେନ୍ଦ୍ରାପଡ଼ା,୨୮ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗରପାଟଣାସ୍ଥିତ ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଆଜି ସଦର ଥାନାରେ ମନ୍ଦିର ବନ୍ଧମଙ୍ଗଳା କମିଟିର ସଭାପତି ବଟକୃଷ୍ଣ ମହାରଣା ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମହାରଣା କହିଛନ୍ତି ଯେ ଗତ ଶୁକ୍ରବାର ରାତିରେ ମା’ଙ୍କ ପୂଜା ବିଧି ସରିବା ପରେ କବାଟରେ ତାଲା ପକାଯାଇଥିଲା । ଶନିବାରଦିନ ସକାଳେ ଶ୍ରୀ ମହାରଣାଙ୍କ ଭଉଣୀ ଫୁଲ ରଖିବା ପାଇଁ ମନ୍ଦିରକୁ ଯିବାରୁ ସେ ଦେଖିଲେ ମନ୍ଦିରର ତାଲା ଭଙ୍ଗାଯାଇଛି । ଭିତରେ ଥିବା ଦାନବାକ୍ସର ତାଲା ମଧ୍ୟ ଭଙ୍ଗା ଯାଇ ସମସ୍ତ ଟଙ୍କା(୫୦ହଜାରରୁ ଉର୍ଦ୍ଧ୍ୱ) ଦୁର୍ବୃତ୍ତମାନେ ଲୁଟ୍ କରିବା ସହିତ ମନ୍ଦିରର ଗର୍ଭଗୃହ ତାଲା ଭଙ୍ଗାଯାଇ ମା’ ମଙ୍ଗଳାଙ୍କର ରଖାଯାଇଥିବା ପାଞ୍ଚୋଟି ରୂପା ମୁକୁଟ, ହାର ଓ ଅନ୍ୟନ୍ୟା ଅଳଙ୍କାର ସାମଗ୍ରୀ ଲୁଟ୍ କରାଯାଇଛି ବୋଲି ସଦର ଥାନାରେ ଅଭିଯୋଗ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସଭାପତି ସୂଚନା ଦେଇଛନ୍ତି । ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।


Discover more from

Subscribe now to keep reading and get access to the full archive.

Continue reading