
କେନ୍ଦ୍ରାପଡା ୪/୧-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ନିର୍ଦ୍ଦେଶରେ ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ । ସଦସ୍ୟ ଶୁଭାଶୁଂ ଦାସଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକରେ ସଭାପତି ଅକ୍ଷୟ ପାଣି ସଦସ୍ୟମାନଙ୍କୁ ସେମାନଙ୍କ ଦାୟୀତ୍ୱ ବଣ୍ଟନ କରିଥିଲେ । ଏହି ମେଳାରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଯୋଗ ଦେବା ପାଇଁ ସହମତି ପ୍ରଦାନ କରିଛନ୍ତି ଓ କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୁତି ରଞ୍ଜନ ପ୍ରଧାନ ଉଦ୍ଘାଟକ ଭାବେ ଯୋଗ ଦେବା ସହିତ ବର୍ଷିଆନ ସାହିତ୍ୟିକ କୃଷ୍ଣ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ସମ୍ପାଦକ ଜାହିଦ ଖାଁ ସୂଚନା ଦେଇଛନ୍ତି । ଚଳିତ ପୁସ୍ତକ ମେଳାରେ କେମ ଦ୍ୱାରା ପ୍ରକାଶିତ ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା” ସହିତ ବିଶିଷ୍ଟ ସାହିତ୍ୟକମାନଙ୍କର ପୁସ୍ତକ ଲୋକାର୍ପଣ କରାଯିବ । ୮ ଦିନ ଧରି ଏହି ପୁସ୍ତକ ମେଳାରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ତର୍କ, ନୃତ୍ୟ ସହିତ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯିବ । ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସଦସ୍ୟ ହିମାଂଶୁ ଦାସ, ଧର୍ମଦର୍ଶୀ କର, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପୁସ୍ତକ ମେଳାରେ ମୁସ୍ତାକ ମ୍ୟୁଜିୟମ ପୁସ୍ତକ ସଂଗ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ । ଯେଉଁଥିରେ ପୁରାତନ ର୍ଦୁମୂଲ୍ୟ ଐତିହାସିକ ଦସ୍ତାବିଜ ଓ ମୁଦ୍ରା ସହିତ ଚିତ୍ର ଶୀଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ପୋଷ୍ଟର ପଦର୍ଶିତ କରାଯିବ ବୋଲି ଅତିରିକ୍ତ ସମ୍ପାଦକ ପ୍ରତାପ ସ୍ୱାଇଁ ସୂଚନା ଦେଇଥିଲେ । ସଦସ୍ୟମାନଙ୍କୁ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବାକୁ ଉପଦେଷ୍ଟା ଡଃ ବିରାଜା ରାଉତରାୟ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ଭୂଷଣ ପରିଡା, ଅତିରିକ୍ତ ସଭାପତି ସରୋଜକାନ୍ତ ସାହୁ, ଉପଦେଷ୍ଠା ଶିବ ଚରଣ ସାମଲ, ବଂଶୀଧର ମହାନ୍ତି, ରଞ୍ଜିତ ପରିଡା, ନୃସିଂହ ତ୍ରିପାଠୀ, ଆଇନଜୀବୀ ମହମ୍ମଦ ମୁସ୍ତକ, ଅମରିନ ସାହାଦତ, ମିର ମୁରସିଦ୍, ବିକାଶ ଚନ୍ଦ୍ର ସ୍ୱାଇଁ, ଜ୍ୟୋତି ରଞ୍ଜନ ନାୟକ, ଦିଲ୍ଲୀପ ସାହୁ, ସରୋଜକାନ୍ତ ସାହୁ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।











