
କେନ୍ଦ୍ରାପଡା ୭/୧-କେନ୍ଦ୍ରାପଡ଼ା ସହର ଉପଖଣ୍ଡ ଗୁଆଳସିଂ ଠାରେ ଥିବା ଜିଲ୍ଲା ସଂସ୍କୃତି ଭବନକୁ ହୁଇଲ୍ ଚେୟାର ବ୍ୟବହାରକାରୀ ଏବଂ ଚଳନଶକ୍ତି ବାଧିତ ବ୍ୟକ୍ତିମାନଙ୍କ ସହଜ ପ୍ରବେଶ ନିମନ୍ତେ ପୁନର୍ବାସ ପକ୍ଷରୁ ରାମ୍ପ ନିର୍ମାଣ ପାଇଁ ଦାବି କରାଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ମୁନିସିପାଲଟି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ତରଫରୁ ଏହାର କାର୍ଯ୍ୟକାରୀ ପରିଷଦର ସଦସ୍ୟ ବଂଶ୍ରୀଧର ମହାନ୍ତି, ଜ୍ୟୋତି ରଞ୍ଜନ ନାୟକ ଓ ଶେଷଦେବ ପ୍ରସାଦ ଦାସ ପ୍ରମୁଖ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିବେଦନ ପତ୍ରସଂଖ୍ୟା ନମ୍ବର – ପିୟୁଏନ/୦୧, ୬ ଜାନୁୟାରୀ ୨୦୨୫ ରେ ପ୍ରଦାନ କରି ଏହାର ତୁରନ୍ତ ଜିଲ୍ଲା ସଂସ୍କୃତି ଭବନକୁ ଭିନ୍ନକ୍ଷମମାନଙ୍କ ନିମନ୍ତେ ପ୍ରବେଶ ଅନୁକୂଳ କରିବା ପାଇଁ ଦାବି ଜଣାଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ନୂତନ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ- ୨୦୧୬ର ଧାରା ୪୪ ଅନୁଯାୟୀ ସମସ୍ତ ସର୍ବସାଧାରଣ ଅନୁଷ୍ଠାନ ହୁଇଲ୍ ଚେୟାର ବ୍ୟବହାରକାରୀ ଭିନ୍ନକ୍ଷମମାନଙ୍କ ନିମନ୍ତେ ବାଧତାମୂଳକ ଭାବେ ସୁଗମ ପ୍ରବେଶ ବ୍ୟବସ୍ଥା କରାଇବେ । ଏତଦ୍ ବ୍ୟତୀତ ଉକ୍ତ ସ୍ଥାନମାନଙ୍କରେ ସେମାନଙ୍କ ବ୍ୟବହାର ପାଇଁ ସୁଗମ ପ୍ରବେଶ ଶୌଚାଳୟ ଏବଂ ମଣ୍ଡପକୁ ଯିବା ନିମନ୍ତେ ମଧ୍ୟ ଅବିକଳ ପ୍ରାବଧାନ ରହିଛି । ପୁନର୍ବାସ ଅନୁଷ୍ଠାନ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ କାଳ ନିରନ୍ତର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛି । ଏହି ଅଭିଯୋଗ ପତ୍ର ପ୍ରାପ୍ତି ପରେ ଜିଲ୍ଲାପାଳ ଏ ଦିଗରେ ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁନର୍ବାସର ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।











