କେନ୍ଦ୍ରାପଡା,୨୯ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ଜରିଆବାଡସ୍ଥିତ ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଦିନ ବ୍ୟାପି ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରିଣୀ ଅନ୍ନପୂର୍ଣ୍ଣା ପଣ୍ଡା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ବିଶ୍ୱାଳ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ପରିଡା, ଶୈଳେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ କ୍ରୀଡାର ଉପାଦେୟତା ସହ ଶୃଙ୍ଖଳାର ସହ ବନ୍ଧୁତ୍ୱପୂର୍ଣ୍ଣ ଭାବେ ପ୍ରତ୍ୟେକ ପ୍ରତିଯୋଗୀ ଖେଳିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ନେତା ପ୍ରଣବ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ଉଦ୍ଯାପନୀ ଉତ୍ସବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡାଙ୍କ ସଭାପତିତ୍ୱରେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ପ୍ରଫେସର ଅଜୟ କୁମାର ସାମଲ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାସ, କେଶବ ଚନ୍ଦ୍ର ବିଶ୍ୱାଳ, ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର କୁମାର ପରିଡା, ଦୁତିଆଳ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପଣ୍ଡିତ ପ୍ରତାପ କୁମାର ପତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥି ରୂପେ ଯୋଗ ଦେଇ କ୍ରୀଡା ମଣିଷକୁ ଶୃଙ୍ଖଳିତ କରିବା ସହ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । ଶିକ୍ଷକ ନେତା ପ୍ରଣବ କୁମାର ଜେନା ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ରାଜଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ କ୍ରୀଡା ଶିକ୍ଷକ ରମାକାନ୍ତ ସାହୁ, ବବିତା ରାଉତ, କଳା ଶିକ୍ଷକ ସୁଶିଲ କୁମାର ସେନ୍, ମିତାଲି ପ୍ରଧାନ, ଅଭୟ କୁମାର ମହାନ୍ତି, ଦେବୀ ପ୍ରଜ୍ଞା ନାୟକ, ଜ୍ୟୋସ୍ନା ବିଶ୍ୱାଳ, ଭାଗ୍ୟବତୀ ମଳିକ ପ୍ରମୁଖ ପରିଚାଳନା କରିଥିଲେ । କନିଷ୍ଠ ବାଳକ ବିଭାଗରେ ଅଭୟ କୁମାର ମଳିକ ଓ ବାଳିକା ବିଭାଗରେ ସ୍ୱର୍ଣ୍ଣପ୍ରିୟା ଗିରି ଚମ୍ପିୟାନ ହୋଇଥିଲେ । ବରିଷ୍ଠ ବାଳକ ବିଭାଗରେ ଶୁଭଙ୍କର ସାହୁ ଓ ବାଳିକା ବିଭାଗରେ ପ୍ରଣତୀ ମଳିକ ଚମ୍ପିୟାନ ହୋଇଥିଲେ । ଭଲ୍ୟୁଣ୍ଟର ରୂପେ ଲିପ୍ସାରାଣୀ ସୂତାର, ସଶ୍ମିତା ବେହେରା, ଇତିଶ୍ରୀ ମଲ୍ଲିକ, ପ୍ରିତୀ ସ୍ୱରୂପା ପଣ୍ଡା, ଅମନ କୁମାର ମଳିକ, ଶୁଭମ ବାରିକ, ସତ୍ୟରଞ୍ଜନ ବେହେରା, ଜିଗ୍ନେଶ ପରିଡା, ଭବ୍ୟପ୍ରସାଦ ପଣ୍ଡା, ନିରଞ୍ଜନ ଗିରି, ଅର୍ଜୁନ ଚରଣ ସାମଲ, ଶୁଭମ ଦାଶ ଓ ସାଇସ୍ୱୟଂ ଦାଶ ପ୍ରମୁଖ କ୍ରୀଡା ଉତ୍ସବକୁ ଶୃଙ୍ଖଳାର ସହ ସମାପନ କରିବାରେ ସହଯୋଗ କରିଥିଲେ । ଏହି ଉତ୍ସବ ଅବସରରେ ସାମାଜିକ କର୍ମୀ ରଣବୀର ରାଉତ, ପ୍ରକାଶ କୁମାର ଜେନା ବିଦ୍ୟାଳୟ ପରିସରରେ ବକୁଳଗଛ ରୋପଣ କରିଥିଲେ ।