
କେନ୍ଦ୍ରାପଡ଼ା,୩ା୨: ବିଶିଷ୍ଟ ଅନ୍ତର୍ଜାତୀୟ କବି ସମାଜସେବୀ ଡ. କଳ୍ପନା ମଲ୍ଲିକଙ୍କୁ ‘ଭଗ୍ନି ନିବେଦିତା’ ସମ୍ମାନରେ ସମ୍ମାନିତ କରାଯାଇଛି। ଆମି ଭାରତ ବୋଲଛି ଟ୍ରଷ୍ଟ, ବୋଇବନ୍ଧୁ ପବ୍ଲିକେଶନ ଓ ବି.ଆଇ.ପି.ର ମିଳିତ ଆନୁକୂଲ୍ୟରେ କଲିକତାର ସଲ୍ଟଲେକ ଠାରେ ଥିବା କେନ୍ଦ୍ର ସରକାରଙ୍କ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟରରେ ଅନୁଷ୍ଠିତ ପ୍ରଥମ ଏକ ଦିବସୀୟ ଜାତୀୟ କବିତା ଆସରରେ ବିଶିଷ୍ଟ ଆନ୍ତର୍ଜାତୀୟ କବି ଡ. କଳ୍ପନା ମଲ୍ଲିକଙ୍କୁ ମୁଖ୍ୟ ଅତିଥି ସ୍ୱାମୀ ନିର୍ଗୁଣାନନ୍ଦ ବ୍ରହ୍ମଚାରୀ ‘ଭଗ୍ନି ନିବେଦିତା’ ସମ୍ମାନ ପ୍ରଦାନ କରିଥିଲେ। ଚଳିତବର୍ଷ ଦେଶର ୪ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଆନ୍ତର୍ଜାତୀୟ କବି ତଥା କେନ୍ଦ୍ରାପଡା ମାଟିର ଝିଅ ଡ. ମଲ୍ଲିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ତ୍ରିପୁରା ରାଜ୍ୟପାଳ ତଥାଗତ ରାୟ ଯୋଗ ଦେଇଥିବା ବେଳେ ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମି ଭାରତ ବୋଲଛି ଟ୍ରଷ୍ଟର ସଭାପତି ଡ. ରତନ ଘୋଷ, ବୋଇବନ୍ଧୁ ପବ୍ଲିକେଶନର ନିର୍ଦେଶକ ଶିବଶଙ୍କର ଚକ୍ରବର୍ତ୍ତୀ ଓ ବି.ଆଇ. ପି.ର ମୁଖ୍ୟ ସମ୍ପାଦକ ଦେବଜ୍ୟୋତି ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ କବି ଡ. ମଲ୍ଲିକଙ୍କର ଓଡିଆ ପୁସ୍ତକ ‘ପରଂବ୍ରହ୍ମ’ ଓ ‘ଭଲପାଏ ମଣିଷକୁ’ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିବା ବେଳେ ଇଂରାଜୀ କବିତା ପୁସ୍ତକ ‘କ୍ରୀସେଣ୍ଟମୁନ୍, ‘କୋରାଲ ଯଶ୍ମିନ, ‘ଥାର୍ଡ ଆଏ’ ପ୍ରମୁଖ ଦେଶବିଦେଶରେ ଆଦୃତି ଲାଭ କରିଛି। ଇଂରାଜୀ ପୁସ୍ତକ “ଥାର୍ଡ ଆଏ” ଗୋଲଡେନ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନିତ ହୋଇଛି। ଏହି ସମ୍ମାନ ପାଇବା ପରେ କବି ଡ. ମଲ୍ଲିକଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ପ୍ରଶଂସାର ସୁଅ ଛୁଟୁଛି।











