କେନ୍ଦ୍ରାପଡା ସଦରମହକୁମାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର



କେନ୍ଦ୍ରାପଡ଼ା, ୩ା୩: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ତହସିଲଦାର ତାପସ କୁମାର ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ସହକାରୀ ଜିଲ୍ଲାପାଳ ଶାନ୍ତିଲତା ବୁଡିଆଲ, କେନ୍ଦ୍ରାପଡା ପୌରପରିଷଦର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ। ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୯୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୧ ଗୋଟି ସାମୁହିକ ଏବଂ ୧୭୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧.୫୮ ଲକ୍ଷ ଟଙ୍କା ୨୧ ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିବା ବେଳେ ରେଡ୍‌କ୍ରସ୍ ପାଣ୍ଠିରୁ ଜଣଙ୍କୁ ଚିକିତ୍ସା ସହାୟତା ବାବଦରେ ମୋଟ ୩ହଜାର ଟଙ୍କାର ଚେକ୍ ପ୍ରଦାନ ପାଇଁ ମଞ୍ଜୁର କରିଛନ୍ତି । ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ଚିକିତ୍ସା ପାଇଁ ଆର୍ôଥକ ସହାୟତା, ନୂତନ ରାସନ୍‌କାର୍ଡ଼ ପ୍ରଦାନ, ଅନ୍ତୋଦୟ ଯୋଜନାରେ ନାମ ସାମିଲ କରିବା, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା ଓ ପୋଲିସ ସମସ୍ୟା ଆବେଦନ ପତ୍ର ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା। ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଫ୍ଲାଏ ଓଭର ନିର୍ମାଣ, ବିଦ୍ୟୁତ ଯୋଗାଣ, ରାସ୍ତା ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ, ପାନୀୟ ଜଳ ଯୋଗାଣ, ବେଆଇନ ଭାବେ ଅଧିକୃତ ସରକାରୀ ଜମି ଉଚ୍ଛେଦ ଆଦି ଅଭିଯୋଗ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା। ଏହି ଅଭିଯୋଗ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading