
କେନ୍ଦ୍ରାପଡା ୨୮/୧୦- ଅକ୍ଟୋବର ୨୫ ଓ ୨୬ ତାରିଖ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାରାସନ୍ତରଣ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପାରା ସନ୍ତରଣକାରୀମାନେ ଅପୂର୍ବ ସଫଳତା ଅର୍ଜନ କରିଛନ୍ତି । ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ ସହ ଏହି ପାରାସନ୍ତରଣକାରୀମାନେ ଜାତୀୟ ରେକର୍ଡ ମଧ୍ୟ ସ୍ଥାପନ କରିବାରେ ସମର୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାର ଆଳି ବ୍ଲକ୍ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ପାରା ସନ୍ତରଣକାରୀ ମୋନାଲି ସ୍ୱାଇଁ ମହିଳା ବିଭାଗର ତିନୋଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ କରି ବ୍ୟକ୍ତିଗତ ରେକର୍ଡ ସୃଷ୍ଟି କରିବା ସହିତ ଜାତୀୟ ପାରା ସୁଇମିଙ୍ଗରେ ଥିବା ରେକର୍ଡକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକ ଅନ୍ତର୍ଗତ ହରିଅଙ୍କ ଗ୍ରାମର ବଳରାମ ସ୍ୱାଇଁ ପୁରୁଷ ୧୦୦ ମିଟର ପାରା ସନ୍ତରଣ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜୟ ଲାଭ କରି ଜାତୀୟ କୀର୍ତ୍ତି ସ୍ଥାପନ କରିଛନ୍ତି। ଏହି ଦୁଇ ପାରା କ୍ରୀଡ଼ାବିତ୍ଙ୍କ ସଫଳତାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ “ପୁନର୍ବାସ” ଅନୁଷ୍ଠାନର ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ଏବଂ କାର୍ଯ୍ୟନିର୍ବାହୀ ପରିଷଦର କର୍ମକର୍ତ୍ତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱକାଳ ପୁନର୍ବାସ ଅନୁଷ୍ଠାନ ଏହି ଦୁଇ ପାରାକ୍ରୀଡ଼ାବିତ୍ଙ୍କ ଦକ୍ଷତା ବିକାଶ ଦିଗରେ ଆର୍ôଥକ ପ୍ରୋତ୍ସାହନ ଓ ସହାୟତା ସହିତ ବିଭିନ୍ନ ଅବସରରେ ଉତ୍ସାହିତ କରି ଆସିଛି ।











