
କେନ୍ଦ୍ରାପଡା ୪/୧୨- ଚଳିତ ୨୦୨୫ ମସିହାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଓଡ଼ିଶାର ପାରା କ୍ରୀଡ଼ାବିତ୍ମାନେ ଅଜସ୍ର ସଫଳତା ଅର୍ଜନ କରିଛନ୍ତି । ଓଡିଶା ଦଳ ଜାତୀୟ ହୁଇଲ୍ ଚେୟାର୍ ରଗ୍ବି ଚମ୍ପିୟାନ ହେବାଠାରୁ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ପୂର୍ବ ରେକର୍ଡକୁ ଭାଙ୍ଗି ୩୯ଟି ପଦକ ହାସଲ ପାଇଛି । ସେହିପରି ବିଶ୍ୱ ଆବିଲିଟି ପ୍ରତିଯୋଗିତାରେ ମଧ୍ୟ ଓଡିଶାର ପାରା କ୍ରୀଡ଼ାବିତ୍?ମାନେ ଦେଶରୁ ପ୍ରତିନିଧିତ୍ୱ କରି ବିଭିନ୍ନ ବର୍ଗରେ ୧୨ଟି ପଦକ ହାସଲ କରିଛନ୍ତି । ଏହି ସଫଳ କ୍ରୀଡାବିତ୍ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଶ୍ୟାମସୁନ୍ଦର ଗାଁର ପ୍ରଶାନ୍ତ କୁମାର ନାୟକ ଚମ୍ପିୟାନ୍ହୁଇଲ୍ ଚେୟାର୍ ରଗ୍ବି ଦଳର ସଦସ୍ୟ ରହିଛନ୍ତି। ସେହିପରି ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ବଳରାମ ସ୍ୱାଇଁ ୧୦୦ ମିଟର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଓ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମର ସୁଧୀର ମଲିକ ରୌପ୍ୟ ପଦକ ହାସଲ କରିଛନ୍ତି, ସେ ମଧ୍ୟ ଜାତୀୟ ହୁଇଲ୍ ଚେୟାର୍ ରଗ୍ବି ଦଳର ସକ୍ରିୟ ସଦସ୍ୟ ଅଛନ୍ତି । ଏହି ସଫଳ କ୍ରୀଡାବିତ୍ଙ୍କୁ ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସଶକ୍ତିକରଣ ପାଇଁ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ମାନପତ୍ର,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନଠାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ବରିଷ୍ଠ ଜନପ୍ରିୟ ଚିକିତ୍ସକ ଡ଼ା ବିଶ୍ୱପ୍ରକାଶ କାନୁନ୍ଗୋ ଓ କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଅକ୍ଷମତାକୁ ଅତିକ୍ରମ କରିବାର ମନୋବଳ ଜଣେ ଦିବ୍ୟାଙ୍ଗକୁ କେବଳ ସଫଳ କରାଏ ନାହିଁ ବରଂ ଅତି ସମର୍ଥବାନ୍ ବୋଲି ପ୍ରମାଣିତ କରେ ଏବଂ ଏହି ସମ୍ବର୍ଦ୍ଧିତ କ୍ରୀଡ଼ାବିତମାନେ ତା’ର ଜୀବନ୍ତ ଉଦାହରଣ ବୋଲି ମତ ପ୍ରକାଶ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଓଡିଶା ପାରା କ୍ରୀଡାର ଉତ୍କର୍ଷତାକୁ ନେଇ ପୁନର୍ବାସ ପକ୍ଷରୁ ପ୍ରକାଶିତ ଦ୍ୱିଭାଷିକ ସମ୍ବାଦ ପତ୍ର “ପୁନର୍ବାସ ସମାଚାର”ର ସ୍ୱତନ୍ତ୍ର ସଂଖ୍ୟାର ପାଠକାର୍ପଣ ହୋଇଥିଲା। ଏହାପରେ ସମାଜରେ ଭିନ୍ନକ୍ଷମମାନଙ୍କ ପ୍ରତି ଏକ ସମ୍ବେଦନଶୀଳ ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୂର୍ବରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁନର୍ବାସର ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ ମନୋରଞ୍ଜନ ସିଂହ,ସଂଜୀବ କୁମାର ଜେନା,ରାଜେନ୍ଦ୍ର ମହାପାତ୍ର, ଗୌତମ ବେହେରା, ଧରଣୀଧର ସେଠୀ,କେଦାର ନାଥ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ଅନୁଷ୍ଠାନର ସଭ୍ୟ ସ୍ୱପ୍ନାଶୁ କୁମାର ଦାସ,ମହମ୍ମଦ୍ ଜାହିଦ୍ ଖାନ୍, ପ୍ରଶାନ୍ତ କୁମାର ସିଂହ, କମଳାକାନ୍ତ ବେହେରା, କ୍ଷୀରୋଦ କର ଆଦି କାର୍ଯ୍ୟକ୍ରମ ସମ୍ପାଦନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ପରିଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।











