ଛାତ୍ରୀଛାତ୍ରମାନେ ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ ସଫଳତା ନିଶ୍ଚିତ


ମାଟିଆପଡା ହାଇସ୍କୁଲ ବାର୍ଷିକ ଉତ୍ସବ


ପଟ୍ଟାମୁଣ୍ଡାଇ ତା ୧୩/୨- ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ସମୟରେ ଛାତ୍ରୀଛାତ୍ରମାନେ ନିଜର ଦୁର୍ବଳତା କୁ ପରଖି ଶକ୍ତିରେ ପରିଣତ କଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତ ମାଟିଆ ପଡା ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପ୍ରଧାନଶିକ୍ଷକ ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ବିଧାୟକ କହିଲେ ଯେଉଁ ସ୍ବପ୍ନ ନିଦ ହଜେଇ ଦିଏ ସେଇ ସ୍ବପ୍ନ ଦେଖିଲେ ଛାତ୍ରୀଛାତ୍ରମାନେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ । ଛାତ୍ରୀଛାତ୍ରମାନେ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ ଜୀବନ ଯୁଦ୍ଧରେ ବିଜୟୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା ସହିତ ଛାତ୍ରଛାତ୍ରୀମାନେ ସୃଜନଶୀଳ ବୈଜ୍ଞାନିକ ମନୋବୃତ୍ତି ନେଇ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଦିହୁଡିପୁର ସରପଞ୍ଚ ନରେଶ ମଲିକ, ପୂର୍ବତନ ସରପଞ୍ଚ ଧନୁର୍ଜୟ ସ୍ୱାଇଁ, ସମାଜସେବୀ ବାଣୀଭୂଷଣ ନାୟକ ଓ ସ୍କୁଲ ପରିଚାଳନା କମିଟି ସଭାପତି ନିର୍ମଳେନ୍ଦୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା ପ୍ରଧାନ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ରଞ୍ଜନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ସାହୁ ଦାବୀପତ୍ର ପାଠ କରିଥିବାବେଳେ ଶିକ୍ଷୟତ୍ରୀ ଶୁଭଶ୍ରୀ ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ ।  ସହକାରୀ ଶିକ୍ଷୟତ୍ରୀ ବିନ୍ଦୁରେଖା ନାୟକ ମାଧୁରୀ ଭୁଏଙ୍କ ସଂଯୋଜନାରେ ସ୍କୁଲ ଛାତ୍ର ଛାତ୍ରୀମାନେ ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ବାର୍ଷିକ କ୍ରୀଡାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସ୍ଵପ୍ନେଶ୍ଵର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ବିନୋଦ କୁମାର ଦାସ, ଚନ୍ଦ୍ର ଭାନୁ ସାହୁ, ତପନ ବେହେରା, ବିଶ୍ୱଜିତ ସାହୁ ଓ ରଂଜିତ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।