
କେନ୍ଦ୍ରାପଡ଼ା, ୨୯।୩: ରାଜ୍ୟରେ ଥିବା କଳାକାର ଓ କୀର୍ତ୍ତନ ମଣ୍ଡଳୀଙ୍କ ଅଗ୍ରଦୂତ ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳ। ସେ ଓଡ଼ିଶାର କଳାକାର ପରିବାର ଓ କୀର୍ତ୍ତନ ମଣ୍ଡଳୀ ପରିବାର ସଦସ୍ୟଙ୍କ ସହ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ସୁଖ ଦୁଃଖର ସାଥି ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ବିଶ୍ୱାଳ। କିନ୍ତୁ ନିକଟରେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଡ଼. ବିଶ୍ୱାଳ କଳାକାର ମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତି। ଏହା କଳାକାର ସଂଘ ଓ କୀର୍ତ୍ତନ ମଣ୍ଡଳୀ ସଂଘର ମୁରବୀ ଡ଼. ବିଶ୍ୱାଳଙ୍କ ପ୍ରତି ଘୋର ଅପମାନ ସୂଚକ। ଏହି ମନ୍ତବ୍ୟକୁ ଯଦି ଶ୍ରୀମତୀ ସାମନ୍ତସିଂହାର ପ୍ରତ୍ୟାହାର ନ କରନ୍ତି ଓ ଡ଼. ବିଶ୍ୱାଳଙ୍କୁ କ୍ଷମା ନ ମାଗନ୍ତି ତେବେ ଲେଖାଶ୍ରୀଙ୍କ ବାସ ଭବନ ଘେରାଉ କରାଯିବ ବୋଲି ଶତାଧିକ କଳାକାର ଓ କୀର୍ତ୍ତନ ମଣ୍ଡଳୀ ସଂଘ କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି। ରବିବାର ଛୁଟି ଥିବା ସତ୍ତ୍ୱେ ସହ ସହ ସଂଖ୍ୟାରେ କଳାକାର ଓ କୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ସଂସ୍କୃତି କଳା ପରିଷଦର ସଭାପତି ନବଘନ ନାୟକ ଓ ସମ୍ପାଦକ ସୁଦର୍ଶନ ମଲ୍ଲିକଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଥିଲା। ଏଥିରେ ଜିଲାରେ ଶତାଧିକ କଳାକାର ଓ ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟ ଯୋଗଦେଇ ଲେଖାଶ୍ରୀ ଡ଼. ବିଶ୍ୱାଳଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଲେଖାଶ୍ରୀଙ୍କ ମନ୍ତବ୍ୟ ସମ୍ପର୍କରେ ଡ଼. ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ ମୋତେ ଓଡ଼ିଶାର ଲକ୍ଷ ଲକ୍ଷ କଳାକାର ଜାଣିଛନ୍ତି। ଯଦି ଲେଖାଶ୍ରୀ ପ୍ରମାଣ କରିଦେବେ ମୁଁ କୌଣସି କଳାକାର କିମ୍ବା କୌଣସି ସଂକୀର୍ତ୍ତନ ମଣ୍ଡଳୀ ଠାରୁ ଟଙ୍କାଟିଏ ନେଇଛି ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି।

