ସ୍କୁଲ ବାରଣ୍ଡାରେ ବସି ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ



କେନ୍ଦ୍ରାପଡ଼ା,୪ା୯: କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ସ୍କୁଲ ବାରଣ୍ଡାରେ ବସି ଆଜି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି ଦୃଶ୍ୟ ଏବେ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। କାରଣ ଜଣେ ଆଇ.ଏ.ଏସ. ଅଧିକାରୀ ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାର କୈାଣସି ସ୍ଥାନରେ ଥିବା ବିଦ୍ୟାଳୟ ବାରଣ୍ଡା ଚଟାଣରେ ବସି ଅଭିଯୋଗ ଶୁଣିବା ନଜିର ନାହିଁ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ କରିବା ତରିକା ବେଶ ନିଆରା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନରୁ ମିଳିଥିବା ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳେଇ ଗ୍ରାମ ପଞ୍ଚାୟତକୁ ଜିଲ୍ଲାପାଳ ଶ୍ରୀ ଆୟର ପରିଦର୍ଶନ କରି ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ଥାନୀୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ସ୍ଥିତି ସମୀକ୍ଷା କରିଛନ୍ତି।ପ୍ରଥମେ ଜିଲ୍ଲାପାଳ ମାଟିଆସାହି ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ପାଠପଢ଼ା, ଉପସ୍ଥାନ ଓ ବିଦ୍ୟାଳୟରେ ମିଳୁଥିବା ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଶ୍ରେଣୀଗୃହ, ପାନୀୟ ଜଳ ଓ ଶୌଚାଳୟ ଭଳି ମୌଳିକ ସୁବିଧାର ଅନୁଧ୍ୟାନ କରିଥିଲେ। ପରେ ମାଟିଆସାହି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ପୋଷଣ, ଉପସ୍ଥାନ ଓ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରି କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ବିଷୟରେ ତଥ୍ୟ ନେଇଥିଲେ। ଜଗନ୍ନାଥପୁର ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଅଗ୍ରଗତି ଓ ବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପିଲାମାନଙ୍କ ପାଇଁ ଏକ ଭଲ ଶିକ୍ଷଣ ପରିବେଶ ସୃଷ୍ଟି ସହ ଶିକ୍ଷାର ମାନ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଚାଲିଥିବା ମା’ ଅମ୍ବେଶ୍ୱରୀ ଭୋଗ ମଣ୍ଡପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ମଣ୍ଡପର ବ୍ୟବହାର, ଆବଶ୍ୟକତା ଓ ସ୍ଥାନୀୟ ଲୋକଙ୍କ ଠାରୁ ଏ ସମ୍ପର୍କରେ ଜାଣିବା ସହ ଆଲୋଚନା କରିଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ଶୁଣିଥିଲେ। ସ୍ଥାନୀୟ ସ୍ତରରେ ସମାଧାନ ହୋଇପାରୁଥିବା ସମସ୍ୟାଗୁଡ଼ିକୁ ଶୀଘ୍ର ସମାଧାନ କରିବା ସହ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ମାର୍ଶାଘାଇ ବିଡିଓ ତୃପ୍ତି ମହାନ୍ତିଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Be the first to comment

Leave a Reply

Your email address will not be published.