ମହୁଚାଷରୁ ଲକ୍ଷାଧିକ ଟଙ୍କା ଆୟ କରି ସ୍ୱାବଲମ୍ବୀ ସାଜିଛନ୍ତି ଯୁବତୀ ପୁଷ୍ପଲକ୍ଷ୍ମୀ



ଡେରାବିଶ ୨୦ା୯ (ବେବର୍ତ୍ତା ଅଜୟ ଦାସ) ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଅଭାବ। ମହୁଚାଷକୁ ଆପଣାଇ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବନ୍ଧପଡ଼ା ଗ୍ରାମର ଯୁବତୀ ପୁଷ୍ପଲକ୍ଷ୍ମୀ ବେହେରା। ନିଜର ନିଷ୍ଠା ଓ ବାପାଙ୍କ ସହଯୋଗ ବଳରେ ସେ ମହୁଚାଷରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ ପରିବାରକୁ କର୍ମସଂସ୍ଥାନ ଯୋଗାଇ ସ୍ୱାବଲମ୍ବୀ କରିପାରିଛନ୍ତି।

ପୂର୍ବରୁ ପୁଷ୍ପଲକ୍ଷ୍ମୀଙ୍କ ଜେଜେବାପା ମହୁଚାଷ କରୁଥିଲେ। ଘରେ ରହିଥିବା ଜେଜେବାପାଙ୍କ ସେହି ପୁରୁଣା ମହୁ ବାକ୍ସଗୁଡ଼ିକୁ ଆଧାର କରି ସେ ନିଜର ଏହି ପାରମ୍ପରିକ ଚାଷ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସେ ପଛ ଘୁଂଚା ଦେଇ ନଥିଲେ। ଏହି କାର୍ଯ୍ୟରେ ତାଙ୍କ ବାପା ଶୁକଦେବ ବେହେରା ତାଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ। ବାପା-ଝିଅଙ୍କ ମିଳିତ ଉଦ୍ୟମ ଓ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ଯୋଗୁଁ ଆଜି ଏହି ମହୁଚାଷ ବ୍ୟାପକ ରୂପ ନେଇଛି। ପୁଷ୍ପଲକ୍ଷ୍ମୀଙ୍କ ଦ୍ୱାରା ଉତ୍ପାଦିତ ବିଶୁଦ୍ଧ ମହୁର ଚାହିଦା ଏବେ ସ୍ଥାନୀୟ ବଜାର ସମେତ ଆସପାସ ଅଂଚଳରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଚାଷରୁ ସେ ବାର୍ଷିକ ଲକ୍ଷାଧିକ ଟଙ୍କା ଲାଭାଂଶ ପାଇପାରୁଛନ୍ତି। କେବଳ ନିଜେ ଆତ୍ମନିର୍ଭରଶୀଳ ହୋଇନାହାନ୍ତି,ରୋଜଗାରର ପନ୍ଥା ଖୋଜୁଥିବା ଆଖପାଖ ଅଂଚଳର ବହୁ ପରିବାରକୁ ନିଜ ସହ ଯୋଡ଼ି ସେମାନଙ୍କୁ ନିୟମିତ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି। ଆଜିର ଯୁବପିଢ଼ି ଯେତେବେଳେ ଚାକିରି ପଛରେ ଗୋଡ଼ାଉଛନ୍ତି, ସେତେବେଳେ ପୁଷ୍ପଲକ୍ଷ୍ମୀଙ୍କ ଏହି ସଫଳତା ଗ୍ରାମୀଣ ମହିଳା ଓ ଯୁବତୀଯୁବକଙ୍କ ପାଇଁ ଏକ ନୂଆ ଦିଗଦର୍ଶନ ପାଲଟିଛି। ତାଙ୍କର ଏହି ନିଷ୍ଠାପର ଉଦ୍ୟମକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଚାଷୀମାନେ ଭୂୟସୀ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ତାଙ୍କୁ ଏକ ଉଦାହରଣ ଭାବେ ଗ୍ରହଣ କରିଛନ୍ତି।


ଏ ବାବଦରେ ପୁଷ୍ପଲକ୍ଷ୍ମୀ କୁହନ୍ତି ସାନବେଳୁ ଜେଜେବାପାଙ୍କୁ ମହୁଚାଷ କରୁଥିବାର ଦେଖିଥିଲି। ଘରେ ସେହି ପୁରୁଣା ମହୁ ବାକ୍ସଗୁଡ଼ିକ ପଡ଼ିରହିଥିଲା। ଆଜିକାଲି ଚାକିରି ପାଇବା ଯେତେବେଳେ କଷ୍ଟକର, ସେତେବେଳେ ନିଜେ କିଛି ନୂଆ କରିବାକୁ ଇଚ୍ଛା ହେଲା। ମୁଁ ଜେଜେବାପାଙ୍କ ସେହି ବାକ୍ସଗୁଡ଼ିକୁ ବ୍ୟବହାର କରି ମହୁଚାଷ ଆରମ୍ଭ କଲି। ଆରମ୍ଭରୁ ମୋ ବାପା ମୋତେ ସବୁ ପ୍ରକାରର ସାହାଯ୍ୟ ଓ ଉତ୍ସାହ ଦେଇଥିଲେ। ବାପାଙ୍କ ସହଯୋଗ ନଥିଲେ ମୁଁ ଏତିକି ଦୂର ଆସିପାରିନଥାନ୍ତି। ଆଜି ଏହି ଚାଷରୁ ଭଲ ଦୁଇ ପଇସା ରୋଜଗାର ହେବା ସହ ଅନ୍ୟ ପରିବାରକୁ କର୍ମସଂସ୍ଥାନ ଦେଇପାରିଥିବାରୁ ମୋତେ ବହୁତ ଖୁସି ଓ ଆତ୍ମସନ୍ତୋଷ ମିଳୁଛି। ଯୁବପିଢ଼ି କେବଳ ଚାକିରି ପଛରେ ନଗୋଡ଼ାଇ ନିଜ ପାରମ୍ପରିକ କାର୍ଯ୍ୟ କିମ୍ବା ସ୍ୱାବଲମ୍ବୀ ହେବାର ପନ୍ଥା ବାଛିଲେ ନିଜେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ।


ପୁଷ୍ପଲକ୍ଷ୍ମୀ ଆମ ଗାଁ ଓ ପୁରା ଡେରାବିଶ ବ୍ଲକ ପାଇଁ ଗୌରବ। ଆଜିକାଲିର ଯୁବପିଢ଼ି ଯେତେବେଳେ ଚାକିରି ପାଇଁ ବାହାରକୁ ଧାଉଁଛନ୍ତି, ସେତେବେଳେ ସେ ନିଜ ଜେଜେବାପାଙ୍କ ପାରମ୍ପରିକ ମହୁଚାଷକୁ ଆପଣାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି। ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଆମ ଗାଁକୁ କର୍ମସଂସ୍ଥାନ ଯୋଗାଇବା ଏକ ବଡ଼ କଥା। ତାଙ୍କ ବାପା ସୁକଦେବ ବାବୁଙ୍କ ସହଯୋଗ ଓ ଝିଅର ନିଷ୍ଠା ଆଜି ସଫଳ ହୋଇଛି। ପୁଷ୍ପଲକ୍ଷ୍ମୀଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଯୁବତୀଯୁବକ ଓ ଚାଷୀମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଦେବ। ସରକାରୀ ସ୍ତରରେ ତାଙ୍କୁ ଅଧିକ ପ୍ରୋତ୍ସାହନ ମିଳିବା ଦରକାର ଭକ୍ଟକ୍ଷସ ସ୍ଥାନୀୟ ଗ୍ରାମବାସୀ କୁହନ୍ତି ।


Be the first to comment

Leave a Reply

Your email address will not be published.