ଗ୍ରାମାଞ୍ଚଳରେ ହଜିଗଲାଣି ଭଗବତ ଟୁଙ୍ଗି, ସନ୍ଧ୍ୟା ହେଲେ ଯମୁଛି ମଦର ଆସର: ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଜନଅସନ୍ତୋଷ


ଭୁବନେଶ୍ବର ୨୭/୯ଓଡ଼ିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକତାର ପ୍ରତୀକ କୁହାଯାଉଥିବା ଭଗବତ ଟୁଙ୍ଗି ଗୁଡ଼ିକ ହଜିବାକୁ ବସିଲାଣି। ଅତିତରେ ଯେଉଁ ଗାଁ ମୁଣ୍ଡ ଟୁଙ୍ଗିରେ ସନ୍ଧ୍ୟା ହେଲେ ସଞ୍ଜ ବତି ଜଳୁଥିଲା । ମାହାମନ୍ତ୍ର ଜପ ଖୋଳ କଂସାଳ ତାଳର ମଧୁର ଝଙ୍କାର ସହ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭଗବତ ଗୀତାର ସୁର ଗୁଞ୍ଜରିତ ହେଉଥିଲା ,ତାହା ଆଜି ଶୂନ୍ୟତା ହୋଇସାରିଛି ।

ଦିନଥିଲା ଏହି ଟୁଙ୍ଗିଗୁଡ଼ିକ କେବଳ ଭକ୍ତିର କେନ୍ଦ୍ର ନଥିଲା, ବରଂ ଗାଁର ଭାଇଚାରା, ଏକତା ଓ ବିବାଦ ନିଷ୍ପତ୍ତିର ଏକ ପ୍ରମୁଖ ମାଧ୍ୟମ ଥିଲା। ମାତ୍ର ଆଜିର ଆଧୁନିକତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଏହି ଆଧ୍ୟାତ୍ମିକ ପୀଠଗୁଡ଼ିକ ଅବହେଳିତ ହୋଇ ପଡ଼ିରହିଛି। କେଉଁଠି କେଉଁଠି ଭାଙ୍ଗିରୁଜି ମଧ୍ୟ ଗଲାଣି । ସଂପ୍ରତି ସନ୍ଧ୍ୟା ହେଲେ ଗାଁ ଗାଁରେ ଏବେ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଆଧ୍ୟାତ୍ମିକ ପରିବେଶ ପରିବର୍ତ୍ତେ ଗାଁର କୋଣ ଅନୁକୋଣରେ ଯମୁଛି ମଦର ଆସର। ଯୁବପିଢ଼ିଠାରୁ ଆରମ୍ଭ କରି ପ୍ରୌଢ଼ଙ୍କ ପର୍ଯ୍ୟନ୍ତ ଅନେକେ ଏହି ନିଶା ବ୍ୟସନରେ ବୁଡ଼ି ରହୁଛନ୍ତି । ଯାହା ଫଳରେ ଗ୍ରାମୀଣ ଅଞ୍ଚଳରେ ପାରିବାରିକ ଅଶାନ୍ତି, ସାମାଜିକ ଅବକ୍ଷୟ ଓ ଅପରାଧିକ ମାନସିକତା ବୃଦ୍ଧି ପାଉଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ସରକାରଙ୍କ ଦୋମୁହାଁ ନୀତି। ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଆ ସଂସ୍କୃତିର ସୁରକ୍ଷା ପାଇଁ ଭଗବତ ଟୁଙ୍ଗିଗୁଡ଼ିକର ପୁନରୁଦ୍ଧାର, ଜୀର୍ଣ୍ଣୋଦ୍ଧାର ଓ ପୁନଃସ୍ଥାପନା ପାଇଁ ନୂଆ ନୂଆ ଯୋଜନା ଓ ଅନୁଦାନର ଘୋଷଣା କରୁଛନ୍ତି। ମାତ୍ର ଅନ୍ୟପଟେ ରାଜସ୍ୱ ବୃଦ୍ଧି ନାମରେ ଗାଁ ଗାଁରେ ନୂଆ ମଦ ଦୋକାନ ଖୋଲିବା ପାଇଁ ଲଟେରୀ ଓ ଲାଇସେନ୍ସ ପ୍ରକ୍ରିୟାକୁ କୋହଳ ଓ ତ୍ୱରାନ୍ୱିତ କରୁଛନ୍ତି।

ଗୋଟିଏ ହାତରେ ସଂସ୍କୃତି ଓ ସଂସ୍କାର ବାଣ୍ଟିବା ଏବଂ ଅନ୍ୟ ହାତରେ ନିଶାର କାରବାରକୁ ପ୍ରୋତ୍ସାହନ ଦେବା ସରକାରଙ୍କ ନୀତିଗତ ବିରୋଧାଭାସକୁ ସ୍ପଷ୍ଟ ସୂଚାଉଛି। ସରକାର ଯଦି ସତରେ ଗ୍ରାମୀଣ ଓଡ଼ିଶାର ଭାବସଂସ୍କୃତିକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ କେବଳ ଭଗବତ ଟୁଙ୍ଗିର କୋଠା ଘର ତୋଳିଦେଲେ ହେବନାହିଁ, ବରଂ ଗାଁଗଣ୍ଡାରୁ ମଦର ବିଷବୃକ୍ଷକୁ ଉପାଡ଼ି ଫିଙ୍ଗିବାକୁ ପଡ଼ିବ। ଏହି ଦୋମୁହାଁ ନୀତି ବନ୍ଦ ନହେଲେ ଓଡ଼ିଶାର ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ଜନତା ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.