

କେନ୍ଦ୍ରାପଡା ୨୮/୯ : କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା ସେବା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ପ୍ରଥମ ସୁକାନ୍ତ ଚୌଧୁରୀ ସ୍ମାରକୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ବାକ୍ ଓ ଶ୍ରବଣବାଧିତ ଜଣେ ପ୍ରତିଷ୍ଠିତ ଦିବ୍ୟାଙ୍ଗ ବ୍ୟକ୍ତିତ୍ୱଙ୍କୁ ଏହି ସ୍ମାରକୀ ସମ୍ମାନ ଚଳିତ ବର୍ଷଠାରୁ ପ୍ରଦାନ କରାଯାଇଛି । ସମ୍ମାନ ରାଶି ଦଶ ହଜାର ଟଙ୍କା ଓ ଏକ ସ୍ମାରକୀ ମାନପତ୍ର କେନ୍ଦ୍ରାପଡା ସହର ମାଧପୁର ଗ୍ରାମର ବାକ୍ ଓ ଶ୍ରବଣବାଧିତ ସୁଖ୍ୟାତ ଜାତୀୟ ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ସ୍ୱର୍ଗତ ସୁକାନ୍ତ ଚୌଧୁରୀଙ୍କ ନାମରେ ପ୍ରତିବର୍ଷ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର କୋଷାଧକ୍ଷ ଶିବ ଚରଣ ସାମଲ ପ୍ରକାଶ କରିଛନ୍ତି। ପୁନର୍ବାସ ପକ୍ଷରୁ ସ୍ଥାନୀୟ ମାଧପୁରସ୍ଥିତ ଅମରଉଦ୍ୟାନସ୍ଥ ଶିଶୁ ଥେରାପି କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ କେନ୍ଦ୍ରାପଡ଼ା ସଦର ଥାନାର ଅତିରିକ୍ତ ଆଇଆଇସି ସୋମ୍ୟରଞ୍ଜନ ପାଣିଗ୍ରାହୀ ଓ ଜୟନ୍ତୀ ଚୌଧୁରୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଓଡିଶା ଶ୍ରବଣବାଧିତ ମହାସଂଘର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ଷୀୟାନ ଅଶୀତପର ଦିବ୍ୟାଙ୍ଗ ବିଜୟ କୁମାର ପରିଡାଙ୍କୁ ଏହି ରାଜ୍ୟସ୍ତରୀୟ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ। ମଣିଷର ଭାଷାହୀନ ନୀରବତା,ଶ୍ରବଣ ବଧିରତା,ଦକ୍ଷତା ଓ ସାମର୍ଥ୍ୟ ପ୍ରତିପାଦନର ଅନ୍ତରାୟ ନୁହେଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ବିରଜା ରାଉତରାୟଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଅଭିଭାଷଣ ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ ରଖିଥିବା ବେଳେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବାକ୍ ଓ ଶ୍ରବଣବାଧିତଙ୍କ ସଂକେତ ଭାଷା ବ୍ୟାଖ୍ୟାକାର ପ୍ରମୋଦ ମହାପାତ୍ର ସଭାର କାର୍ଯ୍ୟକ୍ରମ ସହିତ ଉପସ୍ଥିତ ବାକ୍ ଓ ଶ୍ରବଣବାଧିତ ଦଧିବାମନଜୀୟୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ମଧ୍ୟରେ ଏକ ସେତୁ ପରି ବର୍ଣ୍ଣନା କରୁଥିବାର ଦୃଶ୍ୟ ଏକ ଆକର୍ଷଣୀୟ ଅନୁଭବ ଆଣି ଦେଉଥିଲା। ପୁନର୍ବାସ ପକ୍ଷରୁ କାର୍ଯ୍ୟକ୍ରମଟିକୁ ମୁଖ୍ୟ ସିବିଆର୍ ଅଭିଷେକ ଓ ଧରଣୀଧର ସେଠୀ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave a Reply