ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁ ବ୍ୟକ୍ତି ନିଖୋଜ ; ଉଦ୍ଧାର କାର୍ଯ୍ୟ ଜାରି


ପଟ୍ଟାମୁଣ୍ଡାଇ ୩୦/୯ ନରେନ୍ଦ୍ର ଧଳା – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି। ନିଖୋଜ ବ୍ୟକ୍ତି ଜଣକ ସ୍ଥାନୀୟ ଦେବଳା ଗ୍ରାମର ଭିକାରୀ ଦାଶ ବୋଲି ଜଣାଯାଇଛି। ଖବର ପାଇବା ମାତ୍ରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଁଚି ନଦୀରେ ବ୍ୟାପକ ଖୋଜାଖୋଜି ଜାରି ରଖିଛନ୍ତି। ନଦୀରେ ପ୍ରବଳ ସ୍ରୋତ ଥିବାରୁ ସନ୍ଧାନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘରୋଇ କଳହରୁ ଅତିଷ୍ଠ ହୋଇ ଭିକାରୀ ଏପରି ଚରମ ପଦକ୍ଷେପ ନେଇଥାଇପାରନ୍ତି। ତେବେ ଅନ୍ୟ କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ, ବୁଧବାର ପୁର୍ବାହ୍ନରେ ସେ ପୋଲ ଉପରେ ଛିଡ଼ା ହୋଇ ନଦୀରେ ମାଛ ଧରା ଦେଖୁଥିବା ସମୟରେ ଅସାବଧାନତା ବଶତଃ ହଠାତ୍ ନଦୀ ଭିତରକୁ ଖସିପଡ଼ିଥିଲେ। ଏହା ଦେଖି ଲୋକେ ଚଉଦକୁଲାଟ ଫାଣ୍ଡିକୁ ଖବର ଦେଇଥିଲେ । ପାଣ୍ଡି ଅଧିକାରୀ ନୃସିଂହ ମହନ୍ତି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ । ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଁଚି ନଦୀରେ ବ୍ୟାପକ ଖୋଜାଖୋଜି ଜାରି ରଖିଛନ୍ତି। ଭିକାରୀଙ୍କ ସାନ ଭାଇ ପ୍ରମୋଦ କୁହନ୍ତି ସେ ସବୁଦିନ ସକାଳୂ ନଦୀ ଆଡକୁ ଆସନ୍ତି ଟହଲମାରୀ ଘରକୁ ଫେରନ୍ତି । ମାତ୍ର ବୁଧବାର ସେ ଆସି ଆଉ ଘରକୁ ଫେରିନଥିଲେ । ପରେ ଏପରି ଅଘଟଣ କଥା ଶୁଣିଳୁ ବୋଲି ସେ କହିଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପାଖ ଲୋକଙ୍କ କୁହନ୍ତି ଗତ ଦୁଇ ବର୍ଷ ତଳେ ଏହି ବ୍ରାହ୍ମଣୀ ନଦୀରେ ବୁଡ଼ି ଭିକାରୀଙ୍କ ଏକମାତ୍ର ପୁଅଙ୍କର ମଧ୍ୟ କରୁଣ ମୃତ୍ୟୁ ଘଟିଥିଲା। ପୁଅକୁ ହରାଇବା ପରଠାରୁ ପରିବାରଟି ଗଭୀର ମାନସିକ ଆଘାତରେ ଥିବା ବେଳେ ପୁଣି ଏହି ଅପ୍ରତ୍ୟାଶିତ ଦୁର୍ଘଟଣା ପରିବାର ତଥା ସମଗ୍ର ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି।
