କେନ୍ଦ୍ରାପଡ଼ା ସଦର ପୋଲିସ ଜାଲରେ ଡକାୟତ ଦଳ: ୬ ଗିରଫ, ମାରଣାସ୍ତ୍ର ଓ ନଗଦ ଟଙ୍କା ଜବତ

0
WhatsApp Image 2026-09-30 at 01.16.51


କେନ୍ଦ୍ରାପଡ଼ା ୩୦/୯-କେନ୍ଦ୍ରାପଡ଼ା ସଦର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଚୋରି, ଲୁଟପାଟ୍ ଓ ଆତଙ୍କ ରଚାଉଥିବା ଏକ କୁଖ୍ୟାତ ଡକାୟତ ଦଳକୁ ପୋଲିସ କାବୁ କରିବା ସହ ସେହି ଦଳର ୬ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସାନମଙ୍ଗଳାର ବିଶ୍ୱଜିତ ପତ୍ରି, ବଳଗଣ୍ଡି ଅଞ୍ଚଳର ଅସରଦ ଅହମଦ, ଉଦୟନଗରର ଓମ୍ ମିଶ୍ର, ହଜାରିବଗିଚାର ପୀତବାସ ମହାରଣା, ହୃଷିକେଶ ମହାରଣା ଏବଂ ରୁଦ୍ର ରଞ୍ଜନ ପାତ୍ର ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।
ସଦର ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଡକାୟତ ଦଳ ଦୀର୍ଘ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଘରକୁ ଟାର୍ଗେଟ୍ କରି ଲୁଟପାଟ୍ ଯୋଜନା କରୁଥିଲେ। ବିଶେଷ କରି ଯେଉଁ ଘରଗୁଡ଼ିକରେ କେବଳ ବୃଦ୍ଧବୃଦ୍ଧା ଏକାକୀ ରହୁଥିଲେ, ସେହି ଘରଗୁଡ଼ିକୁ ସେମାନେ ନିଜର ମୁଖ୍ୟ ଲକ୍ଷ୍ୟ ବନାଉଥିଲେ। ରାତି ସମୟରେ ଘରେ ଜୋରଜବରଦସ୍ତ ପଶିବା ପରେ ଯଦି କେହି ସେମାନଙ୍କୁ ବାଧା ଦେଉଥିଲେ, ତେବେ ସେମାନେ ବନ୍ଧୁକ ଓ ଖଣ୍ଡା ଦେଖାଇ ପ୍ରାଣନାଶର ଭୟ ଦେଖାଉଥିଲେ। ଗୃହକର୍ତ୍ତାଙ୍କୁ ଭୟଭୀତ କରାଇବା ପରେ ଘରେ ଥିବା ନଗଦ ଟଙ୍କା, ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇ ଚମ୍ପଟ ମାରୁଥିଲେ। ଲଗାତାର ଅଭିଯୋଗ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନେଇଥିଲେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ । ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସପିଙ୍କ ସ୍ୱତନ୍ତ୍ର ନିର୍ଦେଶରେ ଏକ ପୋଲିସ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସମ୍ଭାବ୍ୟ ଆଡ୍ଡା ଓ ଗୁପ୍ତ ସ୍ଥାନରେ ଚଢ଼ାଉ କରି ଡକାୟତ ଦଳକୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ଛୁରି ଓ ଅନ୍ୟ କେତେକ ମାରଣାସ୍ତ୍ର ସମେତ ୬ଟି ମୋବାଇଲ ଓ ନଗଦ ୫ ହଜାର ଟଙ୍କା ଜବତ କରିଛନ୍ତି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Leave a Reply

Your email address will not be published. Required fields are marked *