ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

0
WhatsApp Image 2026-11-19 at 23.16.53

୧୧୫ଟି ଆଶ୍ରୟସ୍ଥଳୀରେ ୨୪,୮୭୩ ଜଣଙ୍କୁ ସ୍ଥାନାନ୍ତର
୧୩୦ଟି ସ୍ଥାୟୀ ଓ ୫୪୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ


କେନ୍ଦ୍ରାପଡ଼ା, ୧୯ା୧୧: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିପଦପ୍ରବଣ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ରିଲିଫ୍ ସାମଗ୍ରୀ ମହଜୁଦ ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ଦିଗରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ୯ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳର ୩୬୫ଟି ବିପଦପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି। ଆଜି ଅପରାହ୍ନ ୪ଟା ୧୫ ମିନିଟ୍ ସୁଦ୍ଧା ମୋଟ ୨୪, ୮୭୩ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୧୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଏଥିରେ ୧୧,୬୦୬ ଜଣ ପୁରୁଷ, ୮,୭୭୮ ଜଣ ମହିଳା, ୨,୫୨୦ ଜଣ ବାଳକ ଏବଂ ୧,୯୬୯ ଜଣ ବାଳିକା ଅନ୍ତର୍ଭୁକ୍ତ ଅଛନ୍ତି। ବାତ୍ୟା ଆଶ୍ରୟ ଓ ଜନସାଧାରଣଙ୍କ ସୁରକ୍ଷିତ ରହଣି ପାଇଁ ଜିଲ୍ଲାରେ ୧୩୦ଟି ମଲ୍ଟିପର୍ପୋଜ୍ ସାଇକ୍ଲୋନ୍ ସେଲ୍ଟର/ମଲ୍ଟିପର୍ପୋଜ୍ ଫ୍ଲଡ୍ ସେଲ୍ଟର ଏବଂ ୫୪୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ଓ ଚିହ୍ନଟ କରାଯାଇଛି। ଏହାବ୍ୟତୀତ ୧୧୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାରେ ୩୦୬ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଥିବାବେଳେ ୧୪୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହି ସମୟ ମଧ୍ୟରେ ୨୧ ଜଣ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଛି। ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ୍ ବଣ୍ଟନ ଓ ଜରୁରୀକାଳୀନ ଆବଶ୍ୟକତା ପୂରଣ ପାଇଁ ୭୦୦ କ୍ୱିଣ୍ଟାଲ୍ ଚୁଡ଼ା, ୬୫ କ୍ୱିଣ୍ଟାଲ୍ ଗୁଡ଼ ଏବଂ ୬୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମହଜୁଦ ରଖାଯାଇଛି। ଚାଉଳର ଆବଶ୍ୟକତା ଅନୁଯାୟୀ ଚାହିଦା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯାଇଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ୨୪ ଘଣ୍ଟିଆ ସମନ୍ୱୟ ଓ ଜରୁରୀକାଳୀନ ସେବା ପରିଚାଳନା ପାଇଁ କାର୍ଯ୍ୟକ୍ଷମ ରହିଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ଜିଲ୍ଲାର କୌଣସି ବ୍ଲକ୍‌, ଗ୍ରାମ ପଞ୍ଚାୟତ, ଗ୍ରାମ କିମ୍ବା ପୌରାଞ୍ଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନାହିଁ। କୌଣସି ଗ୍ରାମ ଜଳବନ୍ଦୀ ହୋଇନାହିଁ। ମାନବ ଜୀବନହାନି, ପଶୁସମ୍ପଦ କ୍ଷତି, ଫସଲ କ୍ଷତି କିମ୍ବା ଘର ଭାଙ୍ଗିବାର କୌଣସି ରିପୋର୍ଟ ମିଳିନାହିଁ। ଏପର୍ଯ୍ୟନ୍ତ ମାନବ ମୃତ୍ୟୁ ଓ ପଶୁ ମୃତ୍ୟୁ ଶୂନ୍ୟ ରହିଛି। ଜିଲ୍ଲାପାଳ ରଘୁରାମ ଆର. ଆୟର ଜିଲ୍ଲାବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ଓ ସଚେତନ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି। ବିଶେଷକରି ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକମାନେ ବିଳମ୍ବ ନକରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବା, ଗୁଜବରେ ବିଶ୍ୱାସ ନକରିବା ଏବଂ କେବଳ ସରକାରୀ ସୂଚନାକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ପ୍ରତ୍ୟେକ ପରିସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ଯୋଗାଣ ପାଇଁ ସମସ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି।


Leave a Reply