ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସ୍ଥିତି ଓ ପ୍ରସ୍ତୁତି ଯାଞ୍ଚ କଲେ ଜିଲ୍ଲାପାଳ


ତାଳଚୁଆ ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କ ସହ ଆଲୋଚନା,
ରନ୍ଧାଖାଦ୍ୟର ମାନ ଓ ଆନୁଷଙ୍ଗିକ ବ୍ୟବସ୍ଥାର କଲେ ସମୀକ୍ଷା
କେନ୍ଦ୍ରାପଡ଼ା,୧୯ା୧୧: ସମ୍ଭାବ୍ୟ ବାତ୍ୟା “ଆକ୍ୱାନ୍’ ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଓ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ରଘୁରାମ ଆର. ଆୟର ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାକାର ସ୍ଥିତି ଓ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଆଶ୍ରୟସ୍ଥଳରେ ରହୁଥିବା ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା, ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଆଶ୍ରୟସ୍ଥଳରେ ଉପଲବ୍ଧ ରନ୍ଧାଖାଦ୍ୟର ମାନ ଓ ପରିମାଣ ମଧ୍ୟ ନିଜେ ଯାଞ୍ଚ କରିଥିଲେ। ଏଥିସହ ଆଶ୍ରୟସ୍ଥଳରେ ପାନୀୟ ଜଳ, ଖାଦ୍ୟ, ପରିମଳ, ଆଲୋକ ବ୍ୟବସ୍ଥା, ଶୌଚାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାର ଉପଲବ୍ଧତା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବିପଦ ସମୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଆବଶ୍ୟକୀୟ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା, ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ ଆଶ୍ରୟସ୍ଥଳ ଗୁଡ଼ିକରେ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଜାରି ରହିଛି। ଜନସାଧାରଣଙ୍କ ସୁରକ୍ଷା ଓ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିଛି।
