ବାଲ୍ୟ ବିବାହ ଉଚ୍ଛେଦ ନେଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0
ବାଲ୍ୟ ବିବାହ ଉଚ୍ଛେଦ ଉପରେ ଆୱାର୍ ନେସ ପ୍ରୋଗ୍ରାମ (1)

ବାଲ୍ୟ ବିବାହ ଦ୍ୱାରା ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶରେ ବାଧା ହୁଏ


ପଟ୍ଟାମୁଣ୍ଡାଇ ୨୭/୧୧ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲ୍ୟ ବିବାହ ଉଚ୍ଛେଦ ଓ ଏହାର ନିରାକରଣ ସମ୍ପର୍କିତ ଏକ ଆଇନଗତ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ସମୂଳେ ନାଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇ ବିଚାରପତି ବିଦ୍ୟାଧର ପୃଷ୍ଟି ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ର ବିଭିନ୍ନ କଠୋର ଧାରା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଆଇନ ଅନୁଯାୟୀ ବିବାହ ପାଇଁ ଝିଅର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ପୁଅର ବୟସ ୨୧ ବର୍ଷ ନିର୍ଦ୍ଧାରିତ ହୋଇଛି। ଏହାଠାରୁ କମ୍ ବୟସରେ ବିବାହ କରାଇବା ଏକ ଧର୍ତବ୍ୟ ଓ ଜାମିନବିହୀନ ଅପରାଧ। ଏହି ଆଇନର ଧାରା ୯, ୧୦ ଏବଂ ୧୧ ଅନୁଯାୟୀ ବାଲ୍ୟ ବିବାହ କରୁଥିବା ସାବାଳକ ବର, ବିବାହ ସମ୍ପାଦନ କରୁଥିବା ପୁରୋହିତ, ସହଯୋଗୀ ତଥା ପିତାମାତାଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଥିବା ସେ ସ୍ପଷ୍ଟ କରିଥିଲେ।ଏହା ବ୍ୟତୀତ ନାବାଳିକା ବିବାହ କ୍ଷେତ୍ରରେ ପୋକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଣ୍ଡବିଧାନ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ବାଲ୍ୟ ବିବାହ ଦ୍ୱାରା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ବାଧାପ୍ରାପ୍ତ ହେଉଥିବାରୁ ସମାଜର ପ୍ରତ୍ୟେକ ବର୍ଗର ଲୋକେ ଏଥିପ୍ରତି ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ। କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବାର ସୂଚନା ମିଳିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ୍ ୧୦୯୮ କିମ୍ବା ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ସାହୁ, ସୁରେଶ ନରେନ୍ଦ୍ର, ବରିଷ୍ଠ ଆଇନଜିବୀ ପ୍ରଫୁଲ୍ଲ ଦାଶ, ଶିକ୍ଷାବିତ ବିଜୟ ରାଉତ, ଆଇନଜୀବୀ ହୃଦାନନ୍ଦ ମହାନ୍ତି, ବିଜ୍ଞାନ ଜେନା ରିଟେନର ମନୋଜ ନାୟକ, ଅପର୍ଣ୍ଣା ସାମଲ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ସମସ୍ତ କର୍ମ ଚାରୀ ଉପସ୍ଥିତ ଥିଲେ । ଶେଷରେ ସମିତି ପକ୍ଷରୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।


Leave a Reply

You may have missed