ସାଇକଲ ବ୍ୟବହାରରେ ଶରୀରକୁ ସୁସ୍ଥ ,ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ରୁହେ



ବିଶ୍ୱ ସାଇକେଲ ଦିବସ । ଯୁବଗୋଷ୍ଠୀ ଓ ବୟଜେଷ୍ଠଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ସବୁ ବର୍ଷ ଜୁନ ମାସ ୩ ତାରିଖରେ ସାଇକେଲ ଦିବସ ପାଳନ କରାଯାଏ । ମଣିଷ ସୁସ୍ଥ ରହିବା ପାଇଁ ବିଭିନ୍ନ ଉପାୟ ଆପଣାଉଥିବା ବେଳେ ସାଇକେଲ ଚଳାଇବା ଦ୍ୱାରା ଫିଟ ଓ ପଲ୍ୟୁସନ ଫ୍ରି ଜୀବନ ବିତାଇବା ସହିତ ଅଥନୈତିକ ଅଭିବୃଦ୍ଧିକୁ ବି ପ୍ରୋତ୍ସାହିତ କରିହେବ ବୋଲି ମିଳିତ ଜାତିସଂଘ ଏହି ଦିନକୁ ବିଶ୍ୱ ସାଇକେଲ ଦିବସ ରୂପେ ଘୋଷଣା କରିଛନ୍ତି । ମାତ୍ର ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ସାଇକେଲ କୁ ଭୁଲି ମଟର ଗାଡିକୁ ଆପଣେଇଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜର ପତିଆରା ଜାହିର କରିବା ପାଇଁ ଆଇନକୁ ଭୁଖେବ ନକରି ଛୋଟ ସ୍କୁଲ କଲେଜ ଛାତ୍ରୀଛାତ୍ର ମାନଙ୍କୁ ସାଇକଲ ଜାଗାରେ ମଟରଗାଡିଦେଇ ଆଇନଶୁଙ୍ଖଳା ବିପର୍ଯ୍ୟସ୍ତ କରୁଥିବା ବୁଦ୍ଧିଜିବି ମହଲରେ ମତପ୍ରକାଶ ପାଇଛି ।
ପୁରୁଖା ଲୋକ ପ୍ରେମାନନ୍ଦ ଦାଶ କୁହନ୍ତି ପୂର୍ବରୁ ଯାତାୟତ ପାଇଁ ସାଇକେଲର ବହୁଳ ବ୍ୟବହାର କରାଯାଉଥିଲା । ମଟର ସାଇକଲ ଆସିବା ପରେ ସାଇକଲ୍‌ର ବ୍ୟବହାର କମ ହୋଇଯାଇଛି । ଅନ୍ୟପକ୍ଷରେ ଏବେ ରାସ୍ତାରେ ସାଇକଲ ଚାଳନା ସବୁଠାରୁ ବିପଜ୍ଜନକ ହୋଇପଡ଼ିଛି । ସାଇକଲ ଚାଳକମାନଙ୍କୁ ସ୍ପିଡ ଗାଡ଼ି ଯୁବ ଓ ନାବାଳକ ଚାଳକମାନେ ହୀନ ଦୃଷ୍ଟିରେ ଦେଖି ଏପରିକି ଦୁର୍ଘଟଣା ଘଟାଇ ଚାଲିଯାଉଛନ୍ତି । ଏପରିକି ପୋଲିସ ପାଖକୁ ଗଲେ ଏଭଳି ମାମଲାକୁ ଗୁରୁତ୍ୱ ଦେଉନାହିଁ । ତେଣୁ ସାଇକଲ ଚଳାଇବାକୁ ଇଚ୍ଛା ରଖୁଥିବା ଅଧିକାଂଶ ଲୋକ ବାଧ୍ୟ ହୋଇ ସାଇକଲ ଛାଡ଼ି ଦେଇଛନ୍ତି ବୋଲି ସେ କହିଥିଲେ ।
ଡା. ପି ଏନ ଗୌରାଙ୍ଗ କୁହନ୍ତି ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ । ଯାହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରଖେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ୩୦ ମିନିଟ୍ ପାଇଁ ସାଇକେଲ ଚଳାଇବା ଆପଣଙ୍କ ରୁଟିନ୍‌ର ଏକ ଅଂଶ କରନ୍ତି, ତେବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିସହିତ କୋଲେଷ୍ଟରଲ ହ୍ରାସ କରିବାରେ ଏବଂ ଗୋଡ଼କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।
ବୁୁଦ୍ଧିଜିବୀ ପ୍ରଫୁଲ୍ଲ ଦାଶ କୁହନ୍ତି ସାରା ବିଶ୍ୱରେ ନେଦରଲ୍ୟାଣ୍ଡ ଏକମାତ୍ର ଦେଶ ଯେଉଁଠି ଆଜିବି ସାଇକେଲ୍ ଅଧିକ ଭାବେ ବ୍ୟବହାର କରାଯାଇଥାଏ । ଏହି ଦେଶର ସରକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଇକଲ୍ ଚଳାଇବା ଉପରେ ସେଠାକାର ନାଗରିକଙ୍କୁ ପରାମର୍ଶ ଦେଇଥାନ୍ତି । ଆଗେ ଗାଁ ଗହଳୀର ପରିବାରରେ ଗୋଟିଏ ସାଇକଲ ୫ ଭାଇ ଚଳାଉଥିବା ବେଳେ ଏବେ ଘରେ ଘରେ ପାଂଚ ମୋଟର ଗାଡି ଚାଲୁଛି । କେଇଁଥିରେ ପିୟୁସି ,ଇନସୁରାନ୍‌ଚ ଅଛିକି ନାହିଁ କେହି ଦେଖୂ ନାହଁନ୍ତି ।
ସାମାଜିକ କର୍ମୀ ପ୍ରବିର ନାୟକ କୁହନ୍ତି ସାଇକଲକୁ ଓଡ଼ିଆରେ ଆଗରୁ “ଶୁନଗାଡ଼ି” କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ । ରାସ୍ତାରେ ଏବେ ଗଡ଼ୁଛି ମାଳମାଳ ଗାଡ଼ିମୋଟର । ଏହା ତୁଳନାରେ ସାଇକଲ ଚାଳନା ହ୍ରାସ ପାଇବାରେ ଲାଗିଛି । କିଛିବର୍ଷ ପୂର୍ବ ଭୁବନେଶ୍ୱରର ଜୟଦେବ ବିହାରରୁ ପଟିଆ ପର୍ଯ୍ୟନ୍ତ ଦେଶର ପ୍ରଥମ ସାଇକଲ ଟ୍ରାକ୍ ନିର୍ମାଣ କରାଯାଇଥିଲା । ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସାଇକଲ ଚାଳନା ଉପରେ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ଏବେ ଅଧିକାଂଶ ଟ୍ରାକ୍ ଜବର ଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି । ଟ୍ରାକଖୋଳି ଦିଆଯାଉଛି । ଟ୍ରାକ୍ ଖରାପ ହୋଇଯିବାରୁ ପରିସ୍ଥିତି ଏଭଳି ହୋଇଛି ଯେ ଏଠାରେ ସାଇକଲ ଚାଲି ପାରୁନାହିଁ ।


Discover more from

Subscribe now to keep reading and get access to the full archive.

Continue reading