
କେନ୍ଦ୍ରାପଡା, ୩/୬: ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଜୀବନଶୈଳୀ ସଂଜାତ ପୀଡା ଅଧିକ ପ୍ରକାଶ ପାଇଥାଏ । ଗୃହକର୍ମର ଚାପ ଓ ବୟସର ଅଭିବୃଦ୍ଧି ସହ ସ୍ନାୟୁ ଓ ଅସ୍ଥିଗତ ସମସ୍ୟା ଭୋଗ କରିଥାନ୍ତି । ଏହି ବର୍ଗର ମହିଳାଙ୍କୁ ସଚେତନ କରିବା ପାଇଁ ପୁନର୍ବାସ ପକ୍ଷରୁ ମାଧପୁରସ୍ଥ ଥେରାପି କେନ୍ଦ୍ରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଆକ୍ୟୁପେଶନଲ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ଓ ଫିଜିଓଥେରାପିଷ୍ଟ ଚନ୍ଦନ ଜେନା ବିଶଦ ଭାବେ ତଥ୍ୟ ଉପସ୍ଥାପନା କରିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି ସୁନାମଧନ୍ୟ ଚିକିତ୍ସକ ଡ. ବିଶ୍ୱ ପ୍ରକାଶ କାନୁନଗୋ, ଡ. ସ୍ନେହଲତା କାନୁନଗୋ, ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଅଧୀକାରିଣୀ ପୁଷ୍ପାଞ୍ଜଳୀ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ଦଶ ନମ୍ବର ୱାର୍ଡ଼ କାଉନସିଲର ରଶ୍ମିତା ସିଂ, କବୟତ୍ରୀ ନବଜ୍ୟୋତି ରାୟ, ଅମରିନ ସାହଦତ ବିଶେଷ କରି କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏହା ଏକ ପ୍ରମୁଖ ସମସ୍ୟା ବୋଲି ମତ ପ୍ରକାଶ କରିଥିଲେ । ଏଥି ନିମନ୍ତେ ସଚେତନତା ହେବା ସହ ଆଧୁନିକ ଥେରାପି ସେବା ଫଳପ୍ରଦ ବୋଲି ଉପସ୍ଥିତ ସମସ୍ତେ ଏକମତ ହୋଇଥିଲେ । ଆଲୋଚନା ଚକ୍ରକୁ ସଂଯୋଜକ ସଂଜୀବ ଜେନା, ସଭ୍ୟ ବଂଶୀଧର ମହାନ୍ତି, ସଂଗ୍ରାମ ଚୌଧୁରୀ, ଜ୍ୟୋତିରଞ୍ଜନ ନାୟକ, ମହମ୍ମଦ ଜାହିଦ ଖାଁ, ଶେଷଦେବ ଦାସ ପ୍ରମୁଖ ପରିଚାଳନା କରିଥିଲେ ।











