ପାଣି ପାଇଁ ପରକୁଳବାସୀ ଦହଗଞ୍ଜ


କେନ୍ଦ୍ରାପଡା, ୧୯/୬: ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଇଛି । ଏଥିପାଇଁ ସରକାରୀ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପମ୍ପ ଡ୍ରାଇଭରଙ୍କ ମନମାନି ଓ ବ୍ୟବସ୍ଥାଗତ ତୃଟି ଯୋଗୁଁ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ପମ୍ପଚାଳକ ନିଜ ମର୍ଜିରେ ପାଣି ଯୋଗାଣ କରୁଛନ୍ତି । ମନ ହେଲେ ଦେଉଛନ୍ତି, ନହେଲେ ନାହିଁ । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ପାଣି ମୁନ୍ଦେ ପାଇବାକୁ ଲୋକେ ଡହଳ ବିକଳ ହେଉଛନ୍ତି । କେତତେବେଳେ ସକାଳେ ତ ପୁଣି କେତେବେଳେ ଦିନ ୧୨ଟାରେ ପାଣି ମିଳୁଛି । ଯାହା ବି ପାଣି ଆସୁଛି ନଆସିବା ଭଳି । ବାଲ୍‌ଟିଏ ପାଣି ପୂର୍ଣ୍ଣବ ହେବାକୁ ଦୁଇ ଘଣ୍ଟା ସମୟ ଲାଗିଯାଉଛି । ଗାଁର ତଳମୁଣ୍ଡରେ ଆଦୌ ପାଣି ପହଞ୍ଚୁନାହିଁ । ଚିତ୍ରୋତ୍ପଳା ନଈକୂଳରେ ରହି ମଧ୍ୟ ଶୋଷ ମେଣ୍ଟୁ ନାହିଁ ପରକୁଳା ଗ୍ରାମବାସୀଙ୍କର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅଧୀନ ପରକୁଳା ପଞ୍ଚାୟତରେ ବାରମ୍ବାର ଏକଥା ଜଣାଇ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀମାନେ ଏନେଇ କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରି ତଦନ୍ତ ପୂର୍ବକ ତ୍ୱରିତ ପ୍ରତିକାର ପାଇଁ ନିବେଦନ କରିଛନ୍ତି । ଏଥିସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ କରିବାକୁ ମହାକାଳପଡା ବିଧାୟକ, କେନ୍ଦ୍ରାପଡା ଜିଲ୍ଲାପାଳ ଓ ମାର୍ଶାଘାଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପରକୁଳା ପଞ୍ଚାୟତର ୨ଟି ପୃଥକ୍ ସ୍ଥାନ ପରକୁଳା ଓ ନାରାୟଣପୁରରେ ବୋରିଂ ପଏଣ୍ଟ ନିର୍ମାଣ କରାଯାଇ ୧୮ଟି ୱାର୍ଡକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଣର ବନ୍ଦୋବସ୍ତ କରାଯାଇଛି । ପରକୁଳାରେ ଥିବା ବୋରିଂ ପଏଣ୍ଟରୁ ପରକୁଳା, ପିକରାଳି ଓ ନାରାୟଣପୁରରେ ଥିବା ବୋରିଂ ପଏଣ୍ଟରୁ ନାରାୟଣପୁର ଓ ଆଙ୍କୋକୁ ପାଣି ଯୋଗାଉଛି । ତେବେ ପରକୁଳା ଗ୍ରାମର କିଛି ୱାର୍ଡକୁ ପାଣି ଯୋଗାଣ ସମ୍ଭବପର ହୋଇପାରୁ ନାହିଁ । ନାରାୟଣପୁରରେ ଓଭରହେଡ ଟାଙ୍କି ଥିବା ବେଳେ ପରକୁଳାରେ ଅଦ୍ୟାବଧି ଟାଙ୍କି ନିର୍ମାଣ ହୋଇପାରି ନାହିଁ । ପରକୁଳା ରାଜସ୍ୱ ଗ୍ରାମରେ ପ୍ରାୟ ୩ ହଜାର ଲୋକ ବସବାସ କରୁଥିବା ବେଳେ ଏଠାରେ ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି । ଗାଁରେ ଥିବା ନଳକୂଅର ପାଣି ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ । ନଳକୂଅ ପାଇପ୍‌ରେ କପଡା ନ ବାନ୍ଧିଲେ ତାହା ବ୍ୟବହାର କରି ହେଉନାହିଁ । ଏଥିରୁ ଲୁଣି ଓ ଲୋମଯୁକ୍ତ ପାଣି ବାହାରୁଛି । ଗାଁ ଲୋକେ ପାଇପ ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ପମ୍ପ ଚାଳକ ମନଇଚ୍ଛା ଜଳ ଯୋଗାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ପାଣି ମୁନ୍ଦେ ପାଇବାକୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାଛଡା ଅନେକ ସ୍ଥାନରେ ପାଣିର ଅପବ୍ୟବହାର କରାଯାଉଥିବା, କେତେକ ଲୋକ ବେଆଇନ ସଂଯୋଗ ନେଇଥିବା ହେତୁ ଗାଁର ତଳମୁଣ୍ଡରେ ପାଣି ପହଞ୍ଚି ପାରୁନାହିଁ । ପୁଣି ପାଣିର ଧାର ଧିମା ରହୁଥିବାରୁ ବାଲ୍‌ଟିଏ ପାଣି ଭର୍ତ୍ତି ହେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସବୁ ୱାର୍ଡରେ ଦୁଇ ବେଳା ଘଣ୍ଟାଏ ଲେଖାଏଁ ପାଣି ଯୋଗାଣ ସୁଦ୍ଧା କରାଯାଉ ନାହିଁ । ମନ ଇଚ୍ଛା କେଉଁଠାରେ ଅଧ ଘଣ୍ଟାଏ ତ ପୁଣ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ପାଣି ଦିଆଯାଉଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସମ୍ପୃକ୍ତ ପମ୍ପ ଚାଳକଙ୍କୁ ବଦଳି କରି ନୂଆ ପମ୍ପ ଚାଳକଙ୍କୁ ନିଯୁକ୍ତି ପାଇଁ ବିଭାଗ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ । ଏସବୁ ସମସ୍ୟା ବାବଦରେ ସରପଞ୍ଚ ଦୀପ୍ତି ରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି କି, ଏବେ ପଞ୍ଚାୟତରେ ୨ଟି ବୋରିଂ ପଏଣ୍ଟ କାର୍ଯ୍ୟକ୍ଷମ ଅଛି । ପରକୁଳା ଓ ପିକରାଳିରେ ଆଉ ଦୁଇଟି ବୋରିଂ ପଏଣ୍ଟ ଓ ଏକ ଓଭରହେଡ ଟାଙ୍କି ନିର୍ମାଣ ଚାଲିଛି । ୨ରୁ ୩ ମାସ ମଧ୍ୟରେ କାମ ସରିଯିବ ଓ ସମସ୍ୟା ଆଉ ରହିବନାହିଁ । ପମ୍ପ ଡ୍ରାଇଭରଙ୍କ ମନମାନି ସମ୍ପର୍କରେ ସେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏ ନେଇ ଆର୍‌ଡବ୍ଲୁଏସ୍‌ଏସ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି କି, ଅଭିଯୋଗ ସମ୍ପର୍କରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ସେ କଥାହେବେ । ଗ୍ରାମବାସୀଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯିବ ।


Discover more from

Subscribe now to keep reading and get access to the full archive.

Continue reading