
ଉଠାଦୋକାନୀଙ୍କ ଉଛେଦ, ନୂତନ ମୋଟର ଆଇନ ପ୍ରୟୋଗ କାମରେ ଆସୁନି
ସଡକ ଦୂର୍ଘଟଣାରେ ବହୁମୂଲ୍ୟ ଜୀବନହାନୀ ଘଟୁଥିବାରୁ ଦୂର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ଏଥି ପାଇଁ ନୂତନ ମୋଟରଯାନ ଆଇନକୁ ମଧ୍ୟ କଡାକଡି ଭାବେ ଲାଗୁ କାଯାଇଛି । ପଟ୍ଟାମୁଣ୍ଡାଇ ସହରରେ ସଡକ ଦୂର୍ଘଟଣା ରୋକିବା ଓ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ପୌର ପରିଷଦ ପକ୍ଷରୁ ପ୍ରତିଷେଧକମୁଳକ ପଦକ୍ଷେପ ନିଆଯାଉଥିବା କୁହାଯାଉଛି । କିନ୍ତୁ ସଚେତନତା ଅଭାବରୁ କୌଣସି ସୁଫଳ ମିଳିପାରୁନାହିଁ । ଟ୍ରାଫିକ ନିୟମ ଓ ନୂତନ ମୋଟରଯାନ ଆଇନ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିବା ସାଧାରଣ ଲୋକମାନଙ୍କ ଠାରୁ ମାତ୍ରାଧିକ ଜରିମାନା ଆଦାୟ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦ୍ରାପଡା ଜିଲ୍ଲାର ବ୍ୟବସାୟ ପେଣ୍ଠସ୍ଥଳୀ ପଟ୍ଟାମୁଣ୍ଡାଇରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ଅନୁଭବ କରି ସ୍ଥାନୀୟ ପୌରପ୍ରଶାସନ ପକ୍ଷରୁ ସରକାରୀ ଜାଗା ଜବରଦଖଲ କରି ଉଠାଦୋକାନ କରିଥିବା ଉଠାଦୋକାନୀମାନଙ୍କୁ ଉଛେଦ କରାଯାଉଛି । ମାତ୍ର ବଡବଡିଆ ବ୍ୟାବସାୟୀ ସରକାରୀ ଜାଗାକୁ ମଡାଇ ଦୋକାନ ଗୃହ ନିର୍ମାଣ କରି ରଖିଥିବା ବେଳେ ଗାଡି, ସାଇକେଲ ର୍ଖିବା ପାଇଁ ଜାଗାଟିକେ ଛାଡିନାହଁନ୍ତି । ଫଳରେ ଗାଡି ରଖିବା ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ ସାଧାରଣ ଲୋକେ ଦୋକାନ ଆଗରେ ଗାଡିରଖି ଠ୍ରାଫିକ ସମସ୍ୟା ସୃଷ୍ଟିକରୁଛନ୍ତି । ପରେ ପ୍ରଶାସନିକ ଅଧିକାରୀ ଗାଡି ଫଟୋ ଉଠାଇ ଜରିମାନା ପର୍ଚ୍ଚି ପଠାଇଦେଉଛନ୍ତି । ସାଧାରଣ ଲୋକମାନେ କିଛି ନଜାଣି ପାରି ଚୁପ ହୋଇ ଜରିମାନା ମଧ୍ୟ ଦେଉଛନ୍ତି । ପଟ୍ଟାମୁଣ୍ଡାଇରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ଅନୁଭବ କରି ୨୦୧୯-୨୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଜବରଦଖଲ କରି ଦୋକାନ କରିଥିବା ଦୋକାନୀମାନଙ୍କୁ ଉଛେଦ କରାଯିବା ପାଇଁ ସରହଦବନ୍ଦି କରାଯାଇଥିଲା । ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ସରକାରୀ ଯାଗାର ଶିମାଙ୍କନ ହୋଇ ଆସୁଥିବା ବେଳେ ଏହାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା । ମାତ୍ର ଉପଯୁକ୍ତ ଥଇଥାନ ନକରି ଉଠାଦୋକାନୀମାନଙ୍କୁ ଉଛେଦ କରାଯିବା ଘଟଣା ଉଠାଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । କିନ୍ତୁ ପ୍ରଶାସନିକ ନାଲିଆଖିକୁ ଦେଖି ଉଠାଦୋକାନୀମାନେ ଚୁପ ହୋଇଯାଇଛନ୍ତି । ଏହି ଉଛେଦକୁ ନେଇ ଉଠାଦୋକାନୀ ସଂଘ ବାରମ୍ବାର କୋର୍ଟ କଚେରୀର ଆଶୟ ମଧ୍ୟ ନେଇଛନ୍ତି । କିନ୍ତୁ ଉଠାଦୋକାନୀମାନଙ୍କ ଉଛେଦ ପରେ ମଧ୍ୟ ଟ୍ରାଫିକ ସମସ୍ୟାରେ ଆଶାନୁରୂପ ସୁଧାର ଆସିନାହିଁ । ଅନ୍ୟପକ୍ଷରେ ରାସ୍ତା ଅବରୋଧ କରି ଦୋକାନ ବଜାର ସମ୍ମୁଖରେ ଗାଡି ଚାଳକମାନେ ବେପରୁଆ ଭାବେ ଗାଡି ରଖି ଟ୍ରାଫିକ ଜାମ କରିବା ଓ ପ୍ରଶାସନ ଫାଇନ ଆଦାୟ କରିବା ଟ୍ରାଫିକ ସୁଧାରରେ କାମରେ ଆସିନି । ପଟ୍ଟାମୁଣ୍ଡାଇ ସହରାଚଂଳ ହୋଇଥିଲେ ହେଁ ବିଭିନ୍ନ ଗ୍ରାମର ସମଷ୍ଟିକୁ ନେଇ ଗଠିତ ହୋଇଛି । ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜନଗର, ରାଜକନିକା, ମହାକାଳପଡା ଓ କେନ୍ଦ୍ରାପଡା ବ୍ଲକର ମଧ୍ୟ ସ୍ଥଳୀରେ ପଟ୍ଟାମୁଣ୍ଡାଇ ବଜାର ହୋଇଥିବାରୁ ଏହି ସହରକୁ ବିଭିନ୍ନ କାମ ନେଇ ଗ୍ରାମାଚଂଳରୁ ଆସୁଥିବା ଗାଡି ଚାଳକମାନେ ଟ୍ରାଫିକ ସଚେତନତା ପ୍ରତି ସଜାଗ ନୁହନ୍ତି । ଅନ୍ୟପକ୍ଷରେ ପୌରପରିଷଦ ପକ୍ଷରୁ ମଧ୍ୟ ପାର୍କିଂ ପ୍ଲେସର ନିର୍ମାଣ କରାଯାଇନାହିଁ । ସରକାରଙ୍କ ନୂତନ ମୋଟରଯାନ ଆଇନ ବଳରେ ସମସ୍ତ ଗାଡିମୋଟର ଯାଚଂ କରି ଜରିମାନା ଆଦାୟ କରିଥିଲେ ମଧ୍ୟ ପରିସ୍ଥିତି ପୂର୍ବବତ ରହିଛି । ଟ୍ରାଫିକ ସମସ୍ୟା ଦୂର ପାଇଁ ସରକାରୀସ୍ତରରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବେଳେ ପ୍ରକୃତପକ୍ଷେ ପଟ୍ଟାମୁଣ୍ଡାଇ ସହରର ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ସତେ ଯେମିତି ବୁଲା ଗାଈଗୋରୁ, ଷଣ୍ଢ, ଛେଳିମେଣ୍ଢାଙ୍କ ଉପରେ ନ୍ୟସ୍ତ କରାଯାଇଛି ! ପଟ୍ଟାମୁଣ୍ଡାଇ ସହର ସମେତ ପୌରାଚଂଳର ସମସ୍ତ ମୁଖ୍ୟସଡକକୁ ବୁଲା ଗାଈଗୋରୁ , ଛେଳିମେଣ୍ଢା, ଷଣ୍ଢ ନିଜ କବଜାରେ ରଖି ଟ୍ରାଫିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ବୁଲା ଗାଈଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପଶୁମାନଙ୍କ ବିଭିନ୍ନ ମୁଖ୍ୟରାସ୍ତା ଅବରୋଧ କାରଣରୁ ପ୍ରତ୍ୟହ ଛୋଟବଡ ଦୂର୍ଘଟଣାରେ ଆହତ ହେବା ପରିସ୍ଥିତିକୁ ସଂଗୀନ କରିଦେଇଛି । ପଟ୍ଟାମୁଣ୍ଡାଇ ସହରରେ ଦୈନିକ ଛେଳି, ମେଣ୍ଢା, ଗାଇଗୋରୁ ଓ ଷଣ୍ଢ ସହରର ବିଭିନ୍ନ ମୁଖ୍ୟରାସ୍ତା ଓ ଗଳିକନ୍ଦିରେ ଅବାଧରେ ବିଚରଣ କରୁଛନ୍ତି । ପଟ୍ଟାମୁଣ୍ଡାଇ ପୌରପ୍ରଶାସନ ପକ୍ଷରୁ ବୁଲା ଗାଈଗୋରୁମାନଙ୍କୁ ସହରର ବିଭିନ୍ନ ସ୍ଥାନରୁ ହଟାଇ ନେବା ପାଇଁ ସଂପୃକ୍ତ ଗୃହପାଳିତ ପଶୁମାନଙ୍କ ମାଲିକମାନଙ୍କୁ ନୋଟିସ କରାଯିବା ସହ ଡାକବାଜିଯନ୍ତ୍ର ଯୋଗେ ପ୍ରଚାର କରାଗଲେ ମଧ୍ୟ କୌଣସି ଫଳ ହେଉନାହିଁ । ରାଜନେତାମାନେ ସେମାନଙ୍କ ଭୋଟବ୍ୟାଙ୍କରେ କ୍ଷତି ପହଁଚିବା ଆଶଙ୍କାରେ ବେପରୁଆ ଗୃହପାଳିତ ପଶୁମାନଙ୍କ ମାଲିକଙ୍କ ଉପରେ କୌଣସି ଠୋସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ଉପରେ ଚାପ ପକାଉନଥିବା ଅଭିଯୋଗ ହୋଇଛି । ଶହ ଶହ ସଂଖ୍ୟାରେ ବୁଲା ଗାଈଗୋରୁ, ଛେଳିମେଣ୍ଢା ଦିନରାତି ୨୪ ଘଟାଂ ବଜାରରେ ବୁଲୁଥିବା ଦେଖିବାକୁ ମିଳୁଛି । ଏପରିକି ପଟ୍ଟାମୁଣ୍ଡାଇ ସହର ଓ ବିଭିନ୍ନ ସ୍ଥାନରେ ଅବାଧରେ ବିଚରଣ କରୁଥିବା ବୁଲା ଗାଈଗୋରୁମାନଙ୍କୁ ଅଟକ ରଖି ଜରିମାନା ଆଦାୟ କରିବା ପାଇଁ କାଞିଆହୁଦା ଖୋଲାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ । ଦୂର୍ଘଟଣା ରୋକିବା ସହିତ ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ ସରକାରୀ ଜାଗା ଜବରଦଖଲ ଉଛେଦ ଓ ନୂତନ ମୋଟରଯାନ ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବୁଲା ଗାଈଗୋରୁ, ଷଣ୍ଢ, ମେଣ୍ଢାଛେଳିଙ୍କ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବସ୍ତୁତଃ ପ୍ରହସନରେ ପରିଣତ ହୋଇଛି । ପଟ୍ଟାମୁଣ୍ଡାଇ ସହରର ପୋଖରୀଆପଡା ଆର.ଡି ରାସ୍ତା, ସହରର ମୁଖ୍ୟ ବସଷ୍ଟାଣ୍ଡ ରାସ୍ତା, ବାଲିପଡା ପୂର୍ତ ବିଭାଗ ରାସ୍ତା, ସହରର ମୁଖ୍ୟ ବଜାର ରାସ୍ତା, ବ୍ୟସ୍ତବହୂଳ ବାଇପାସ-ବକ୍ତାରପୁର ରାସ୍ତା, ତହସିଲ ରୋଡ, ଥାନା ସମ୍ମୁଖ ରାସ୍ତା, ମେଡିକାଲ ରୋଡ, ବ୍ଲକ ରୋଡ ଆଦି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡିକ ବୁଲା ଗାଈଗୋରୁ, ଛେଳିମେଣ୍ଢାଙ୍କ ଅକ୍ତିଆରରେ ରହିଛି । ପୌର ପ୍ରଶାସନ ପକ୍ଷରୁ ବୁଲା ଗାଈଗୋରୁ, ଷଣ୍ଢ, ମେଣ୍ଢାଛେଳିମାନଙ୍କୁ ଅନ୍ୟତ୍ର ଛଡାଯିବାର ସରକାରୀ ନିୟମ ଥିଲେ ମଧ୍ୟ ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ପଟ୍ଟାମୁଣ୍ଡାଇ ବିପର୍ଯ୍ୟସ୍ଥ ଟ୍ରାଫିକ ବ୍ୟବସ୍ଥାକୁ ନେଇ ସାଧାରଣରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଏନେଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟନ ପ୍ରଶାଦ ଗିରିଙ୍କୁ ଯୋଗାଯୋଗ କରିବାରୁ ମୁଁ ୪/ ୫ ଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି । ଏପରି ହେଉଥିଲେ ସରକାରୀ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିୟାଯିବ ବୋଲି କହିଥିଲେ ।










