କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ପୋଷ୍ଟ ଅଫିସରୁ ପୋଷ୍ଟ ମାଷ୍ଟର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଜମାକାରୀ ତାତିବା ସହିତ ଡ଼ାକଘର ତାଲା ପକାଇଛନ୍ତି । ଜମାକାରୀଙ୍କ ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ୍ର ଇନ୍ସପେକ୍ଟର ଘଟଣାର ତନଖି ପାଇଁ ଆସିଥିବା ବେଳେ ହିତାଧିକାରୀମାନେ ଅଟକ ରଖିଥିଲେ । ତାଙ୍କ ପାଖରୁ ସନ୍ତୋଷ ଜନକ ପ୍ରତିଶ୍ରୁତି ପରେ ଛାଡ଼ିଥିବା ଜଣାପଡ଼ିଛି ।
ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ ଅଧୀନରେ ସଂସାରଫଳ ପୋଷ୍ଟ ଅଫିସ ରହିଥିବା ବେଳେ ଏହି ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ ଜିନତ ରାଉତ ନିଯୁକ୍ତି ପାଇ କାର୍ୟ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ବିଶ୍ୱାସରେ ଅର୍ଥ ଜମା କରୁଥିଲେ । ଗତ କିଛିଦିନ ହେବ ପୋଷ୍ଟମାଷ୍ଟର ରାଉତ କେତେକ ଜମାକାରୀଙ୍କ ଠାରୁ ଅର୍ଥ ନେଇ ପାସବୁକ ଦେଉନଥିବା ବେଳେ ଆଉ କେତେକଙ୍କ ଟଙ୍କା ରିସିଭ୍ କରି ଷ୍ଟାମ୍ପ ମାରି ଜମାକାରୀଙ୍କୁ ପାସ୍ବୁକ୍ ଫେରାଇ ଦେଉଥିଲେ । ଏପରି ପ୍ରାୟ ୨୦୦ରୁ ଅଧିକ ଜମାକାରୀଙ୍କ ଅର୍ଥ ସୁକନ୍ୟା, ଆରଡି, ଫିକ୍ସଡ୍ ଡିପୋଜିଟ୍ ଓ ଅନ୍ୟାନ୍ୟ ଯୋଜନାରେ ଜମା କରିଆସୁଥିଲେ । ଜମା ଟଙ୍କା ଆତ୍ମସାତ କରିବାପରେ ପୋଷ୍ଟ ମଷ୍ଟର ରାଉତ ଫେରାର ହୋଇଯାଇଥିଲେ । ତେଣୁ ପୋଷ୍ଟ ଅଫିସ୍ଟି ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ଏହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ତେଣୁ ସେମାନେ ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ୍ରେ ଅଭିଯୋଗ କରିଥିଲେ । ମାତ୍ର ପଟ୍ଟାମୁଣ୍ଡାଇ ସବ୍ ପୋଷ୍ଠ ଅଫିସର ଘଟଣାର ତଦନ୍ତ କରିବା ପରିର୍ବେ ସେଠରେ ଆଉ ଜଣେ ପୋଷ୍ଟମାଷ୍ଟର ପ୍ରସାଦ ବେହେରାଙ୍କୁ ନିଯୁକ୍ତ କରିଥିଲେ । ଜମାକାରୀ ନିଜ ଜମାକୁ ନେଇ ବେହେରାଙ୍କ ପାଖରୁ ସନ୍ତୋଷଜନକ ଉତର ପାଇପାରୁନଥିଲେ । ପୋଷ୍ଟ ଅଫିସରେ ହୋଇଥିବା ଘୋଟାଲା ବିଷୟରେ କାହାକୁ କିଛି କହିପାରୁନଥିଲେ । ବାଧ୍ୟ ହୋଇ ସେ ମଧ୍ୟ ପୋଷ୍ଟ ଅଫିସ୍କୁ ଆସବା ବନ୍ଦ କରିଦେଲେ । ନୂଆ ନିଯୁକ୍ତ ବେହେରା ନଆସିବାରୁ ଗତ ୭ରୁ ୮ ଦିନଧରି ପୋଷ୍ଟ ଅଫିସ୍ ବନ୍ଦ ରହିଥିଲା । ଏନେଇ ଜମାକାରୀମାନେ ପଟ୍ଟାମୁଣ୍ଡାଇ ଅଫିସରେ ପୁନଃ ଅଭିଯୋଗ କରିଥିଲେ । ମଙ୍ଗଳବାର ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ୍ର ତନଖିପାଇଁ ସଂସାରଫଳ ଡାକ ଅଫିସ୍ରେ ପହଁଚିବା ଖବର ପ୍ରଚାରିତ ହେବା ପରେ ଜମାକାରୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା । ସେମାନେ ସେଠାରେ ଏକଯୁଟ ହୋଇ ପୋଷ୍ଟ ଇନ୍ସପେକ୍ଟରଙ୍କୁ ଦୀର୍ଘ ସମୟ ଧରି ଘେରି ଅଟକ ରଖି ଅର୍ଥ ଫେରାଇବାକୁ ଦାବି କରିଥିଲେ । ମାସେ ଭିତରେ ଜମାକାରୀଙ୍କ ଟଙ୍କା ଫେରାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ତାଙ୍କୁ ଛାଡ଼ିଥିଲେ ।