ଶ୍ରୀବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ ସନ୍ଧ୍ୟା ନୀତିରେ ବିଳମ୍ବ



କେନ୍ଦ୍ରାପଡ଼ା,୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀସିଦ୍ଧବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ କରାଯାଉଛି। ଯାହାକୁ ନେଇ କେତେକ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟା ନୀତି ବିଳମ୍ବ ଘଟିଛି। ଏହା ପ୍ରଚାରିତ ହେବା ପରେ ଘିଅର ପ୍ରସ୍ତୁତି ମାସ, ବ୍ୟାଚ ନଂ, ଏକ୍ସପାଇରୀ ତାରିଖ ଇତ୍ୟାଦି ଯାଞ୍ଚ କରାଯାଇଥିଲା। ହେଲେ ଏ ସମସ୍ତ କୈାଣସି ଘିଅ ଟିଣରେ ଉଲ୍ଲେଖ ହୋଇ ନଥିବା ଜଣାପଡିଥିଲା। ତେଣୁ ଦୀର୍ଘଦିନ ଧରି ଏକ ରାକେଟ୍ ଏହା ପଛରେ କାର୍ଯ୍ୟ କରୁଥିବା କେତେକ ସେବାୟତ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଓମ୍‌ଫେଡ ଠାରୁ ପ୍ରଶାସନ ଘିଅ କିଣୁଥିବା ବେଳେ କିପରି ଏହାର ପ୍ରସ୍ତୁତି ତାରିଖ, ଏକ୍ସପାରୀ ତାରିଖ ନ ଦେଖି ଏହାକୁ କିଣୁଥିଲା। ବାସ୍ତବରେ ପ୍ରଶାସନ ଓମ୍‌ଫେଡ ଘିଅ କିଣୁଥିଲା କି ନକଲି ଘିଅ କିଣୁଥିଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। କାରଣ ଏହି ଘିଅ ଟିଣକୁ ଦେଖିଲେ ଜଣାପଡୁଛି ଏହା ଓମ୍‌ଫେଡ କମ୍ପାନୀର ନୁହେଁ। କାରଣ ଓମ୍‌ଫେଡ କେବେହେଲେ ବିନା ପ୍ରସ୍ତୁତି ତାରିଖ ଓ ଏକ୍ସପାରୀ ତାରିଖ ନ ଥିବା ଘିଅ ବଜାରକୁ ଛାଡିବ ନାହିଁ। ତେଣୁ କୌଣସି ନକଲି କମ୍ପାନୀ ନିମ୍ନମାନର ପଚା ଘିଅ ମନ୍ଦିରକୁ ଯୋଗାଉଥିଲା। ଗୁରୁବାର ଏହା ଲୋକଲୋଚନକୁ ଆସିଥିଲା। ତେଣୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରତି ସେମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହା ଜଣାପଡିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘିଅର ବ୍ୟବହାରକୁ ବନ୍ଦ କରାଯାଇଥିଲା। ଏହାକୁ ନେଇ ମନ୍ଦିରରେ ସନ୍ଧ୍ୟା ନୀତି ବିଳମ୍ବ ହୋଇଥିଲା। ସନ୍ଧ୍ୟା ନୀତି ରାତି ୮ଟା ପରିବର୍ତ୍ତେ ରାତି ସାଢେ ୯ଟାରେ ହୋଇଥିଲା ବୋଲି ଜଣେ ସେବାୟତ କହିଛନ୍ତି। ଏହିପରି ପଚାଘିଅ ଏବେ ୯୦ କିଲୋ ରହିଛି। ପ୍ରତିଦିନ ଠାକୁରଙ୍କୁ ସାଢେ ୩ କିଲୋ ଘିଅ ଅର୍ପଣ କରାଯାଇଥାଏ। ଏଥିରେ ଠାକୁରଙ୍କ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ। ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ବଡ଼ପଣ୍ଡା ଘିଅର ମାନକୁ ନେଇ ପ୍ରଶ୍ନ କରିବାରୁ ଆମେ ଯାଞ୍ଚ କରିଥିଲୁ। ଘିଅ ଟିଣରେ ପ୍ରସ୍ତୁତି ତାରିଖ ଓ ଏକ୍ସପାରୀ ତାରିଖ ଉଲ୍ଲେଖ ନ ଥିଲା। ତେଣୁ ଆମେ ଘିଅ ଯୋଗାଣକାରୀ ସଂସ୍ଥା ସହ ଯୋଗାଯୋଗ କରିଥିଲୁ। ସେ ଏହାକୁ ବଦଳ କରିଦେବେ ବୋଲି କହିଥିଲେ। ୬ଟି ଟିଣରେ ଥିବା ୯୦ କିଲୋ ଘିଅକୁ ବଦଳାଇ ଦିଆଯିବ। ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥାନୀୟ ବଜାରରୁ ଘିଅ କିଣାଯାଇ ଠାକୁରଙ୍କ ନୀତି ପ୍ରସ୍ତୁତି କରାଯାଇଥିଲା ବୋଲି ସେ କହିଥିଲେ। ଅପରପକ୍ଷରେ ଏହି ଘିଅ ଟିଣରେ ଓମ୍‌ଫେଡ ବିଶୁଦ୍ଧ ଘିଅ ଲେଖାଯାଇଥିଲେ ମଧ୍ୟ ଏହା ଅସଲି କି ନକଲି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘିଅକୁ ଲାବୋରେଟୋରୀରେ ପରୀକ୍ଷା କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କେତେକ ସେବାୟତ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading