ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଚମ୍ପିଅନ



କେନ୍ଦ୍ରାପଡ଼ା, ୧୭ା୧୦: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ବିଜୟୀ ହୋଇ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଗତ ୬ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଓ ସହକାରୀ କ୍ରୀଡା ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ବାଳକ ବିଭାଗରେ ରାଜ୍ୟର ୩୦ଟି ଜିଲ୍ଲା ସମେତ ଭୁବନେଶ୍ୱରକୁ ମିଶାଇ ୩୧ଟି ଦଳ ଅଂଶଗ୍ରହଣ କରିଥିଲେ। ସେହିପରି ବାଳିକା ବିଭାଗରେ ମୋଟ ୧୭ଟି ଦଳ ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ୧୭ବର୍ଷରୁ କମ୍ ବର୍ଗରେ କେନ୍ଦ୍ରାପଡା ଓ ଅନୁଗୁଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ରାପଡା ଅନୁଗୁଳ ଜିଲ୍ଲାକୁ ପରାସ୍ତ କରି ଚମ୍ପିୟନ ହୋଇଥିଲା। ସେହିଭଳି ୧୭ବର୍ଷରୁ କମ୍ ବର୍ଗର ବାଳିକା ବିଭାଗର ଫାଇନାଲ ମ୍ୟାଚ୍‌ରେ କେନ୍ଦ୍ରାପଡା ଢେଙ୍କାନାଳ ଜିଲ୍ଲାକୁ ହରାଇ ଚମ୍ପିୟନ ହୋଇଥିଲା। ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାର ବାଳକ ଓ ବାଳିକା ବିଭାଗର ଚମ୍ପିୟନ ଦଳ ଗଜପତି ଆରକ୍ଷୀ ଅଧୀକ୍ଷକ ସ୍ୱାଥୀ ଏସ. କୁମାରଙ୍କ ଠାରୁ ଚମ୍ପିୟନ ଟ୍ରଫି ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡାର ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସ୍ମିତା ପ୍ରତିଭା ସାହୁ, ପରିଚାଳକ ସୁଶାନ୍ତ କୁମାର ଦାସ, ଅନ୍ନପୂର୍ଣ୍ଣା ଜେନା, ସୈାଦାମିନୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଉଭୟ ବାଳକ ଓ ବାଳିକା ଦଳର କୋଚ ଭାବରେ ଉତ୍କଳ ମହାପାତ୍ର ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଚମ୍ପିୟନ କରାଇବାରେ ସହଯୋଗ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ଚମ୍ପିୟନ ହେବା ପରେ ଜିଲ୍ଲାର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏଥିନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ସମସ୍ତ ପ୍ରତିଯୋଗୀ, କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ଜିଲ୍ଲାର ୯ଟି ବ୍ଲକର ନୋଡାଲ ସମ୍ପାଦକ ଓ କ୍ରୀଡା ଶିକ୍ଷକମାନେ ଉଭୟ ଚମ୍ପିୟନ ଦଳକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାଗତ କରିବା ସହିତ ଭବିଷ୍ୟତରେ ଏହି ଧାରାକୁ ଆମ ଜିଲ୍ଲାର ପ୍ରତିଯୋଗୀମାନେ ବଜାୟ ରଖିବାକୁ ଆଶାବ୍ୟକ୍ତ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading