
କେନ୍ଦ୍ରାପଡ଼ା, ୧୮ା୧୦: ଜଣେ କର୍କଟ ପିଡିତା ମହିଳାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆର୍ଥିକ ସହଯୋଗର ହାତ ବଢାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ କର୍କଟ ପିଡିତାଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି କର୍କଟ ପିଡିତା ପାଟକୁରା ବସ୍ତିର ଆନସାରୀ ବିବିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସହାୟତା ପ୍ରଦାନ ସମୟରେ ସମାଜସେବୀ ରସିଦ୍ ଖାନ୍, ପଣ୍ଡିତ ପ୍ରତାପ ପତି ଓ ପିଡିତାଙ୍କ ସ୍ୱାମୀ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ସମାଜର ବଦାନ୍ୟ ବ୍ୟକ୍ତିମାନଙ୍କୁ ପିଡିତାଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି।











