ସାମାନ୍ୟ ବର୍ଷାପବନରେ ୮ ଘଣ୍ଟା ବିଦ୍ୟୁତ୍‌ କାଟ :  ବାତ୍ୟା ହେଲେ କେତେ ଦିନ ?


ପଟ୍ଟାମୁଣ୍ଡାଇ ୧୯/୧୦-ସାମାନ୍ୟ ବର୍ଷା ପବନ ଯୋଗୁ ପଟ୍ଟାମୁଣ୍ଡାଇ ସହରରେ ୬ରୁ ୮ ଘଣ୍ଟା ଧରି ଲାଇନ୍‌ ଚାଲିଯାଇଛି। ସହର ଠାରୁ ଉପକଣ୍ଠ ଅବସ୍ଥା ଆହୁରି ଭୟଙ୍କର। ସାମାନ୍ୟ ବର୍ଷାରେ ଯଦି ଏମିତି, ତେବେ ବାତ୍ୟା ହେଲେ କି ଅବସ୍ଥା ହେବ ସେ ନେଇ ପ୍ରଶ୍ନ ଉଠିଛି। 

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାଓ୍ବାର ଭିତ୍ତିଭୂମି ପ୍ରସ୍ତୁତି ଓ ଗ୍ରାହକ‌ସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବା ନେଇ କୁହାଯାଉଥିଲେ ମଧ୍ୟ ଏଭଳି ପରିସ୍ଥିତି ପୁଣି ଥରେ ବିଜୁଳି ଉପଭୋକ୍ତାଙ୍କୁ ଆଶ୍ଚମ୍ବିତ କରିଛି। ଲାଇନ୍‌ କଟିବା ଓ ଲୋକେ ଜଣାଇବାପରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ସ୍ଥିତି ସ୍ବାଭାବିକ ନହେବା ପ୍ରମାଣିତ କରୁଛି ଯେ କୌଣସି ବଡ଼ ଜରୁରୀକାଳୀନ ସ୍ଥିତିକୁ ସାମ୍‌ନା କରିବାଲାଗି ଏ ସହର ଏଯାଏ ପ୍ରସ୍ତୁତ ହୋଇନାହିଁ ବୋଲି ସହରବାସୀ ଅଭିଯୋଗ କରିଛନ୍ତି।ଶନିବାର ଅପରାହ୍ନ ୪ଟା ବେଳେ ବର୍ଷା ପବନ ଆରମ୍ଭ ହେଉ ହେଉ ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଅଞ୍ଚଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଗଲା। ବର୍ଷା ଛାଡ଼ିବା ପରେ ମଧ୍ୟ ବିଜୁଳି ଆସିଲା ନାହିଁ। ଖବର ଲେଖା ହେବା ରାତି ସାଢ଼େ ୧୦ ପର୍ଯ୍ୟନ୍ତ ଲାଇନ୍‌ ଆସିନାହିଁ। ପାଖାପାଖି ୭ଘଣ୍ଟା ଧରି ସମଗ୍ର ଅଞ୍ଚଳ ଅନ୍ଧା‌ର ରହିଛି। ‌ କେବଳ ପଟ୍ଟାମୁଣ୍ଡାଇ ସହର ନୁହେଁ ପୌରାଂଚଳର ୨୦ ଓ୍ବାର୍ଡ ସମେତ  କଖାରୁଣୀ, ଖଡିଅଂଟା ନରସସିଂହପୁର, ବାଲିପାଟଣା, ନିଳକଣ୍ଠପୁର, ଶାଶନ, ବାଛରା ପ୍ରଭୁତି ପଞ୍ଚାୟତ ଅଞ୍ଚଳରେ  ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି। ପ୍ରବଳ ଗରମ ଓ ଗୁଳୁଗୁଳିରେ ଏହି ବିଦ୍ୟୁତ୍‌ କାଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏ ନେଇ ସ୍ଥାନୀୟ  ଜନସାଧାରଣଙ୍କ କହିବା କଥା,  ବିଜୁଳି ଦର ବଢ଼ିଲା, ଲୋକଙ୍କୁ ୭ଦିନ ଭିତରେ ଦେୟ ପଇଠ କରିବାକୁ ବାଧ୍ୟ କରାଗଲା। ମାତ୍ର ସେବାରେ ଉନ୍ନତି ଘଟିଲା ନାହିଁ। ଅଭିଯୋଗ ପାଇଁ ଯେଉଁ ନମ୍ବର ଦିଆହେଲା ତାହା ଅନେକ ସମୟରେ କାମ କରୁନାହିଁ।  ଲାଇନ୍‌ କଟିବ ନାହିଁବୋଲି ଘୋଷଣା କରାଗଲା। ହେ‌ଲେ କିଛି ଲାଭ ହେଲାନାହିଁ। ବରଂ ଉପଭୋକ୍ତା କଲବଲ ହେଉଛନ୍ତି। ଏ ନେଇ ଟିପିସିଓଡିଏଲ୍‌ ପକ୍ଷରୁ କୁହାଯାଇଛି, ଲାଇନ୍‌ ନ କଟିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସମସ୍ୟା‌ ପଛରେ ଅନେକ କାରଣ ରହିଛି।ପୁରୁଣା କେବୁଲପାଇଁ ବାରମ୍ବାର  ବିଦ୍ୟୁତ ବିଭ୍ରାଟ ଘଟୁଛି । ଆଜି ମଧ୍ୟ ସେହି କେବୁଲପାଇଁ ବିଦ୍ୟୁତ କଟ ହୋଇଛି ।ଏହାର ମରାମତି ପାଇଁ କେନ୍ଦ୍ରାପଡାରୁ ଇଏମଆଇ ଟିମ ବିଳମ୍ବରେ ପହଞ୍ଚିଥିଲେ । କାର୍ଯ୍ୟ ଆରମ୍ଭକରିବା ପୂର୍ବରୁ ପୋଲିସ ପ୍ରୋଟେକସନ ଦରକାର ପଡିବ ବୋଲି କହି ଘଣ୍ଟାଏ ପାଖାପାଖି ବିଳମ୍ବ କରିଥିଲେ।  ଫଳରେ ମରାମତି କରି ବିଜୁଳି ସଂଯୋଗ ଦେବାକୁ ସମୟ ଲାଗୁଛି।ଯଥାସମ୍ଭବ ଶୀଘ୍ର ବିଦୁଳି ସଂଯୋଗ କରାଯିବାକୁ ଉଦ୍ୟମ ଚାଲିଛି।


Discover more from

Subscribe now to keep reading and get access to the full archive.

Continue reading