ପଟ୍ଟାମୁଣ୍ଡାଇ ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇଲେ

ପଟ୍ଟାମୁଣ୍ଡାଇ ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇଲେ


ପଟ୍ଟାମୁଣ୍ଡାଇ ୨୦/୧୦ – ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌‌) ପରୀକ୍ଷାରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ  ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂସାରଫଳ ପଂଚାୟତ ଗୁଣ୍ଠି ଗ୍ରାମର ସନ୍ଦିପ ସିଂହ୧୫୭ ତମ  ସ୍ଥାନ ପାଇରଥିବା ବେଳେ  ଦୋଷିଆ ପଂଚାୟତ ବାସୁଦେବପୁର ଗ୍ରାମର ସୌମ୍ୟାଶ୍ରୀ ଦାସ ୩୯୪ ସ୍ଥାନ ଓ ବଡମୂଳବସନ୍ତ ପଂଚାୟତ ବାଟିପଡା ଗ୍ରାମର ଶ୍ରୀମତୀସ୍ୱାଗରୀକା ସେଠୀ ୪୯୧ ସ୍ଥାନ  ପାଇ ଓଏଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନିଜ ଗାଁର ସୌଭାଗ୍ୟ ଅର୍ଜନ କରିବା ସହ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ।


ସନ୍ଦୀପ ସିଂହ ତାଙ୍କର ସଫଳତାର ଶ୍ରେୟ ସେ ପିତା ସରତ କୁମାର ସିଂହ,ମାତା ପୁଷ୍ପଲତା ସିଂହ ,ଜେଜେ ବାସୁଦ୍ୱେ ସିଂହ ଓ ତାଙ୍କ ଶିକ୍ଷକଙ୍କୁ ଦେଇଛନ୍ତି। ଜଣେ ଡିଗ୍ରୀ ଇଞ୍ଜିନିୟର ଭାବେ ନିଜ ବୃତିରେ ଥାଇ ମଧ୍ୟ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଓଏଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ଦୁଇଥର ଏହି ପରୀକ୍ଷାରେ ସେ ଅସଫଳ ହୋଇ ମଧ୍ୟ ହାର ମାନି ନଥିଲେ । ଓଏଏସ ହେବା ପାଇଁ ନିଜର ଜିଦ୍ ତାଙ୍କୁ ଏହି ବିରଳ ସଫଳତା ଦେଇଛି । ଭବିଷ୍ୟତରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଓଡିଶାର ସାଧାରଣ ଜନତାଙ୍କୁ ନିଜର ନିଷ୍ଠାପର ସେବା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ସନ୍ଦୀପ ପ୍ରକାଶ କରିଛନ୍ତି ।

ସେହିପରି ବାସୁଦେବ ଗାଁ ଝିଅ ସୌମ୍ୟାଶ୍ରୀ ଦାସ ତାଙ୍କ ସଫଳତାର ଶ୍ରେୟ ପିତା ମାତା, ଗୁରୁଜନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି । ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ତାଙ୍କୁ ସଫଳତା ଆଣି ଦେଇଛି । ଭବିଷ୍ୟତରେ ଜଣେ ଦକ୍ଷ ଉତରଦାୟୀ ଦରଦୀ ପ୍ରଶାସନିକ ଅଧିକାରୀ ଭାବେ ସମାଜର ତଳ ପାହାଚରେ ଥିବା ମଣିଷକୁ ନ୍ୟାୟ ଦେବା ପାଇଁ ନିଜର ସମସ୍ତ ପ୍ରଚେଷ୍ଟା ଜାରି ରଖିବେ ବୋଲି ସୌମ୍ୟାଶ୍ରୀ ପ୍ରକାଶ କରିଛନ୍ତି । ସୌମ୍ୟାଶ୍ରୀ ଓ ଏ ଏସ ପାଇବା ଖବର ମିଳିବା ପରେ ସମଗ୍ର ଦୋଷିଆ ପଂଚାୟତ ଓ ବାସୁଦେବପୁର ଗାଁ ରେ ଖୁସିର ଲହରୀ ଖେଳିଯାଇଛି ।

ସେହିପରି ବାଟିପଡା ଗ୍ରାମର ଶ୍ରୀମତୀ ସାଗରୀକା ସେଠୀ ଓଏଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନିଜ ଗାଁ ର ପ୍ରଥମ ଓଏଏସ ହେବାର ସୌଭାଗ୍ୟ ଅର୍ଜନ କରିବା ସହ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ବର୍ତମାନ ଶ୍ରୀମତୀ ସାଗରୀକା ଭଦ୍ରକର ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପିଲାଟି ଦିନରୁ ମେଧାବୀ ଛାତ୍ରୀ ଭାବେ ସାଗରୀକା ବିଭିନ୍ନ ପରୀକ୍ଷାରେ ସଫଳତା ହାସଲ କରିଥିଲେ । ତାଙ୍କ ସଫଳତାର ଶ୍ରେୟ ପିତା ମାତା ସମସ୍ତ ଗୁରୁ ଗୁରୁଜନ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଜଣେ ଭଲ ପ୍ରଶାସିକା ଭାବେ ତୃଣମୂଳ ସ୍ତରରୁ ଲୋକମାନଙ୍କ ସେବା କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀମତୀ ସାଗରୀକା କହିଛନ୍ତି । ଓଏଏସ ପରୀକ୍ଷାରେ ପଟ୍ଟାମୁଣ୍ଡାଇ ଅଂଚଳର ୩ ଜଣ ସଫଳତା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ,ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।