ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି



କେନ୍ଦ୍ରାପଡା,୮ା୧୧: ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ ଓ ଗାଁ ଗହଳିରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ “ସୁରଭି”। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, କେନ୍ଦ୍ରାପଡାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ସୁରମା ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ପ୍ରଦୀପ କୁମାର ନାଗ ଯୋଗ ଦେଇଥିଲା ବେଳେ ମହାକାଳପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଦଳାଇ, ଆଳି ମଣ୍ଡଳ ଶିକ୍ଷା ଅଧିକାରୀ ନଳିନୀ ରଞ୍ଜନ ରାଉତରାୟ, ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ହରିହର ଦଳାଇ, ରାଜନଗର ମଣ୍ଡଳ ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ, ଏସସିଏସଟି ପ୍ରକଳ୍ପ ସଂଯୋଜକ କିରଣ ତୃଷ୍ଣା ସାହୁ ପ୍ରମୁଖ ସମ୍ମାନନୀତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସୁରଭି ମହୋତ୍ସବର ଉଦଘାଟନ ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକରୁ ୩ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସୁରଭି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସୁରଭି ମହୋତ୍ସବ ନିମନ୍ତେ ଆୟୋଜିତ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡିଆ ହସ୍ତାକ୍ଷର ଓ ଶ୍ରୁତିଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ବିଷୟ ଆଧାରିତ ଚିତ୍ରକଳା ଓ ଶିଳ୍ପକଳା ଆଦି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଅପରାହ୍ଣର ଅନୁଷ୍ଠିତ ଉଦଯାପନୀ ସମାରୋହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ । ସମ୍ମାନନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଆତ୍ମବିଶ୍ୱାସର ବିକାଶ ଏହି ଉତ୍ସବର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଚରିତ୍ରବାନ, ନିଷ୍ଠାପର ହେବା ସହ ପରିବେଶ ପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ ବ୍ଲକର ସିଆରସିସି, ବିଆରସିସି, ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର ୮୭ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶିକ୍ଷକ ଅନନ୍ତ କୁମାର ପରିଜା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ବିଷ୍ଣୁ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସୁରଭି ମହୋତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, କେନ୍ଦ୍ରାପଡାର ଅଧିକାରୀ ଓ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading