- ଅସୁସ୍ଥ ହେବାରେ ଲାଗିଛନ୍ତି ସରପଂଚ ସମିତି ସଭ୍ୟ,
- ଜଣେ ଗୁରୁତର ମେଡିକାଲରେ ଭର୍ତି
- ସମର୍ଥନ କରି ଧାରଣା ଦେଲେ ୨ ବିଧାୟକ ଗଣେଶ୍ୱର ଓ ଧ୍ରୁବ
ପଟ୍ଟାମୁଣ୍ଡାଇ ୧୪/୧୧ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ଗତ ୫ ତାରିଖରେ ହୋଇଥିବା ଗଣ୍ଡଗୋଳରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଅଭିଯୋଗକୁ ଜିଲା ଓ ପୋଲିସ ପ୍ରଶାସନର ପାତରଅନ୍ତର ମନୋଭାବରେ ଅଭି୍ଯୁକ୍ତକୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନରୁ ପଂଚାୟତ ସମିତି ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଆମରଣ ଅନଶନର ଗୁରୁବାର ଦିତୀୟ ଦିନରେ ବିଲିକଣା ସରପଂଚ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଢ ହସ୍ପିଟାଲରେ ଭର୍ତି କରାଯାଇଛି। ହେଲେ ଏଯାବତ ଏହାର କୌଣସି ସମାଧାନ ହୋଇ ପାରିନାହିଁ। ଜିଲା ପ୍ରଶାସନ ଜାଣି ଶୁଣି ଅନଶନକାରୀଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ କରି ସଭ୍ୟାସଭ୍ୟ ଓ ସରପଂଚଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଅପରାହ୍ନରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ଅନଶନ ସ୍ଥଳରେ ପହଂଚି ସରପଂଚ ଓ ସମିତି ସଭ୍ୟ ସଂଘ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଅନ୍ୟ ପକ୍ଷରେ ଅନଶନକାରୀ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବାରୁ ଦୁଇଦିନ ଧରି ବ୍ଲକ କାର୍ଯ୍ୟ ଠପ ହୋଇଯାଇଛି । ଫଲରେ ଦୁରଦୁôାନ୍ତରୁ ବିଭିନ୍ନ କାର୍ଯ୍ୟରେ ବ୍ଲକ ଆସୁଥିବା ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।
ସୂଚନା ଯୋଗ୍ୟ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଗତ ୫ ତାରିଖରେ ତାଙ୍କ ଅଫିସ ରେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ବଡ଼ପଡା ପଂଚାୟତ ମୂଳଗାଇ ଗ୍ରାମର ଜ୍ୟୋତି ପ୍ରକାଶ ପ୍ରଧାନ ବିଡ଼ିଓ ଅଫିସ ମଧ୍ୟରେ ପ୍ରବେଶ କରି କେତେକ ପ୍ରଶ୍ନ ପଚାରିବା ଆଳରେ ବିଡ଼ିଓଙ୍କୁ ଅଶାଳିନ ବ୍ୟବହାର କରିବା ସହିତ ଚେୟାର ଉଠାଇ ବାଡେଇବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ବିଡ଼ିଓ ସାହୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ଥାନାରେ ୩୨୭/୨୪ ରେ ଏକ ମୋକଦମା ରୁଜୁ କରି ବସିଯାଇଛି । ଏହାର ପ୍ରତିବାଦ ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗତ ୬ ତାରିଖରେ ବ୍ଲକ କର୍ମଚାରୀମାନେ କଲମ କଲମଛାଡ଼ ଆନ୍ଦୋଳନ କରିଥିଲେ । ଏଥି ସହିତ ଗତ ୭ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ସରପଂଚ ଓ ସମିତି ସଭ୍ୟ ସଂଘ ପଟ୍ଟାମୁଣ୍ଡାଇ ଆଇଆଇସି ସୁଶାନ୍ତ ସାହୁଙ୍କୁ ଭେଟି ଅଭିଯୁକ୍ତ ଗିରଫ ଦାବିରେ ଦାବୀପତ୍ର ପ୍ରଦାନ କରିଥିଲେ । ଏବଂ ୮ ତାରିଖଦିନ ଥାନାରେ ଧାରଣା ମଧ୍ୟ ଦେଇଥିଲେ । ମାତ୍ର ୯ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ବୁଧବାର ଠାରୁ ପଟ୍ଟାମୁଣ୍ଡାଇ ସରପଂଚ ଓ ସମିତି ସଭ୍ୟ ସଂଘ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ଅନଶନରେ ବସିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅଚଳ ହୋଇ ପଡିଛି । ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଥିବାବେଳେ ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ହାଲୁକା ଭାବେ ନେଇ ହାତଜାକି ବସିଛି । ଅପରାହ୍ନରେ ବିଧାୟକ ବେହେରା ଅନଶନ ସ୍ଥଳରେ ପହଂଚି ସରପଂଚ ଓ ସମିତି ସଭ୍ୟ ସଂଘ ଆନ୍ଦୋଳନକୁ ସମର୍ଥନ କରି ଧାରଣା ଦେବା ସହିତ ଗୁରୁତର ଅସୁସ୍ଥ ହୋଇଥିବା ଅନଶନକାରୀଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କରିଥିଲେ । ସନ୍ଧ୍ୟାରେ ରାଜନଗର ବିଧାୟକ ଧ୍ରୁବ ସାହୁ ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ବସିବା ସହିତ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ବ୍ଲକ ଅଚଳାବସ୍ଥାକୁ ଦୂର କରିବାକୁ ଉଚ୍ଚପଦସ୍ଥ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ଫୋନ କରି ପରାମର୍ଶ ଦେଇଥିଲେ । ବର୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ନଆସିବା ଓ ଅଭିଯୁକ୍ତ ଗିରଫ ଓ ବ୍ଲକ ଅଚଳାବସ୍ଥା ଦୂର ପାଇଁ ପଦକ୍ଷେପ ନନେବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ପଟ୍ଟାମୁଣ୍ଡାଇର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୂର୍ବତନ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଓ ସବୁବର୍ଗର ଲୋକମାନେ ଏହି ଅନଶନ ଆନ୍ଦୋଳନକୁ ସମର୍ଥନ କରି ଧାରଣା ଦେଇଛନ୍ତି । ସେପଟେ ଆମରଣ ଅନଶନରେ ବସିଥିବା ଅନେକ ସରପଂଚ ସମିତି ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଥିବା ବେଳେ ବିଲିକଣା ସରପଂଚ ଓ ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ଗୁରୁତର ହେବାରୁ ତାଙ୍କୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।