ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ



କେନ୍ଦ୍ରାପଡ଼ା,୧୬ା୧୧: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କପିଳେନ୍ଦ୍ର ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ସେହିପରି ନାବାଳିକାଙ୍କୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଜରିଆରେ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ଏକ ଗ୍ରାମର ୯ବର୍ଷର ନାବାଳିକା ଜଣଙ୍କ ଗତ ୨୦୨୨ ମସିହା ଜୁନ ୬ ତାରିଖରେ ଘରୁ ବାହାରି ଜଣେ ସାଙ୍ଗ ସହ ଶୌଚ ହେବା ପାଇଁ ସାଙ୍ଗକୁ ଡାକିବାକୁ ତାଙ୍ଗ ଘରକୁ ଯାଇଥିଲେ। ହେଲେ ସେତେବେଳେ ତାଙ୍କ ସାଙ୍ଗ ଘରେ ନଥିଲେ। ସେ ଗ୍ରାମ ପୋଖରୀରେ ବାସନ ମାଜୁଥିବା ପରିବାର ଲୋକେ କହିଥିଲେ। ଫଳରେ ନାବାଳିକା ଜଣକ ଉକ୍ତ ପୋଖରୀ ନିକଟକୁ ଯାଇ ଦେଖିଥିଲେ ତାଙ୍କ ସାଙ୍ଗ ବାସନ ମାଜୁଛି। ତାଙ୍କ ସାଙ୍ଗ କହିଥିଲେ ଟିକେ ଅପେକ୍ଷା କର, ବାସନ ମାଜି ସାରିବା ପରେ ଶୌଚ ହେବା ପାଇଁ ଯିବା। ଫଳରେ ନାବାଳିକା ଜଣକ ଏକ ଗଛ ମୂଳେ ସାଙ୍ଗକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ କପିଳେନ୍ଦ୍ର ସେହି ରାସ୍ତାରେ ଯାଉଥିଲେ। ଅଭିଯୁକ୍ତ କପିଳେନ୍ଦ୍ର ନାବାଳିକାଙ୍କ ପଡୋଶୀ ଥିଲେ। ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ଘରକୁ ଡାକିଥିଲେ। ପଡୋଶୀ ହୋଇଥିବାରୁ ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିଲେ। ଏହାପରେ ଅଭିଯୁକ୍ତ କପିଳେନ୍ଦ୍ର ଘର କବାଟ ଦେଇ ନାବାଳିକାଙ୍କ ସହ ଯୋର ଜବରଦସ୍ତ ବଳାତ୍କାର କରିଥିଲେ। ବଳାତ୍କାର କରି ସାରିବା ପରେ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଫଳରେ ନାବାଳିକା ଜଣକ ଘରକୁ ଫେରିଥିଲେ ମଧ୍ୟ ଘଟଣା ସଂପର୍କରେ କାହାକୁ କିଛି କହିବାକୁ ଭୟ କରିଥିଲେ। ହେଲେ କିଛି ସମୟ ପରେ ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଫଳରେ ପରିବାର ଲୋକେ ନାବାଳିକାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଏହାପରେ ଘଟଣା ଜଣାପଡିଥିଲା। ଡାକ୍ତର ସ୍ପଷ୍ଟ କରିଥିଲେ ଯେ ନାବାଳିକଙ୍କ ସହ ବଳାତ୍କାର ହୋଇଛି। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ନିକିରାଇ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ପୋଲିସ ଘଟଣାର ତଦନ୍ତ କରି ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲା। ଏହାପରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ବିଚାର ସମୟରେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣଙ୍କୁ ଭିତ୍ତି କରି ଜଜ୍ ପ୍ରଜ୍ଞା ପରମିତା ରାଉଳ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନ୍‌ଜୀବୀ ମନୋଜ ସାହୁ ଅଦାଲତରେ ମାମଲା ପରିଚାଳନା କରୁଥିଲେ।


Discover more from

Subscribe now to keep reading and get access to the full archive.

Continue reading