
କେନ୍ଦ୍ରାପଡ଼ା,୧୭ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ଆୟୋଜିତ ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ରରେ କାର୍ତ୍ତିକ ପଞ୍ଚୁକ ହବିଷ୍ୟାଳି ବ୍ରତ ଉଦ୍ଯାପିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଓ ଜିଲ୍ଲା ବାହାରୁ ୨ଶହରୁ ଉର୍ଦ୍ଧ୍ୱ ମହିଳା ଏଥିରେ ଯୋଗଦେଇ ହବିଷ୍ୟାଳୀ ବ୍ରତ କରିଥିଲେ । ଜିଲ୍ଲା ପ୍ରଶାସନ ଓ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ସମେତ ବଳଦେବ ସେନାର ସଭାପତି ପୁପୁନ ସ୍ୱାଇଁ ଓ ତାଙ୍କ ସହଯୋଗୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶ୍ରୀକ୍ଷେତ୍ର ପୁରୀକୁ ଯାଇପାରୁନଥିବା ମା’ ମାନଙ୍କ ପାଇଁ ତୁଳସୀ କ୍ଷେତ୍ରରେ କାର୍ତ୍ତିକ ପଞ୍ଚୁକ ହବିଷ୍ୟାଳି ବ୍ରତର ଆୟୋଜନ କେନ୍ଦ୍ରାପଡା ଦିବ୍ୟଜୀବନ ସଂଘର ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଦୀର୍ଘ ୮ବର୍ଷଧରି ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ଶ୍ରୀମା ସୃଷ୍ଟି କରିଛନ୍ତି । ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ମନ୍ଦିର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଯୋଗ ଦେଇ ଶ୍ରୀମାଙ୍କ ଏଭଳି ଏକ ମହତ୍ୱ ଉଦ୍ୟମକୁ ପ୍ରଶଂସା କରିବା ସହିତ ହବିଷ୍ୟାଳୀ ମା’ ମାନଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଶ୍ରୀମାଙ୍କ ପକ୍ଷରୁ ହବିଷ୍ୟାଳୀ ମା’ମାନଙ୍କୁ ଶୀତବସ୍ତ୍ର କମ୍ବଳ ଅତିଥିମାନେ ବଣ୍ଟନ କରିଥିଲେ। ବିଶେଷ କରି ଶ୍ରୀଜୀଉଙ୍କ ମନ୍ଦିର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ହବିଷ୍ୟାଳିମାନଙ୍କ ରହିବା ଏବଂ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିଥିଲେ । ଆଶ୍ରମର ଭକ୍ତ ଦ୍ରୌପଦୀ ରାଉତ ହବିଷ୍ୟାଳି ମା’ମାନଙ୍କର ସମସ୍ତ ଦାୟିତ୍ୱ ନେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଆଶ୍ରମର ଭକ୍ତ ସାବିତ୍ରୀ ପରିଡା, ଏଣ୍ଡର ଗ୍ରାମର ସୁଧିର ଓ ପଦ୍ମନାଭ, କଂସାର ଗ୍ରାମର ଅମୀୟ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ବୁଝୁଥିଲେ । ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥ ଦାସ ସମସ୍ତ କାର୍ଯ୍ୟକ୍ରମକୁ ସୁସଂଗଠିତ ଭାବରେ ସମ୍ପାଦନ କରିବା ଦାୟିତ୍ୱ ନିର୍ବାହ କରୁଥିଲେ । ଉଦ୍ଯାପନୀ ଉତ୍ସବରେ ଗବେଷକ ନିରଞ୍ଜନ ମେକାପ ଓ ଆଳିଜଙ୍ଗା ମାତୃମଣ୍ଡଳୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।











