ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”



କେନ୍ଦ୍ରାପଡ଼ା,୨୦ା୧୧: ଗୌରବମୟ କଳା ସଂସ୍କୃତିର ପୂଜାରୀ ରୂପେ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଆଜୀବନ କଳା ସାଧନ ପାଇଁ ଚିତ୍ର ଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ସଂଯୋଜନାରେ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ୨୨ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ସିଦ୍ଧ ମହାପୁରୁଷ ମଠର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଙ୍ଗୀତ ନିର୍ଦ୍ଦେଶକ ବିମଳ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସଂସ୍କୃତିପ୍ରେମୀ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ପଣ୍ଡିତ ପଦ୍ମନାଭ ଦାଶ, ଅମର ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ପଣ୍ଡା କେନ୍ଦ୍ରାପଡା ସହରସ୍ଥିତ ମୀରପାଟଣାଠାରେ ଦୀର୍ଘ ୩୫ ବର୍ଷ ହେବ ଅରୋ ଚିତ୍ରକଳା ବିଦ୍ୟାଳୟ ପ୍ରତିଷ୍ଠା କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରି ବହୁ ସଂଖ୍ୟକ ଚିତ୍ରଶିଳ୍ପୀ ସୃଷ୍ଟି କରିଛନ୍ତି । ଜିଲ୍ଲା ତଥା ରାଜ୍ୟ ବାହାରେ ଏକକ ଚତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ କରି କେନ୍ଦ୍ରାପଡା ଜିଲ୍ଲାର ଗୌରବ ବଢାଇଛନ୍ତି । ନିଜର କାର୍ଯ୍ୟ ଦକ୍ଷତା ପାଇଁ ସେ ଏଲିସ୍ ବୋନର ମେମୋରିଆଲ ପୁରସ୍କାର, ରାଜ୍ୟ ଜୟଦେବ ସମ୍ମାନ, କଳିଙ୍ଗ ଗୌରବ ସମ୍ମାନ, କେନ୍ଦ୍ରାପଡା ସାହିତ୍ୟ ସଂସଦ ସମ୍ମାନ, କେନ୍ଦ୍ରାପଡା ଜିଲ୍ଲା ଗୌରବ ସମ୍ମାନ, ବିନ୍ଦୁ ବଳୟ କଳାକାର ସମ୍ମାନ, ତୁଳସୀ କଲଚରାଲ ଚିତ୍ରଶିଳ୍ପୀ ସମ୍ମାନ, ବଳଦେବ ଚତ୍ରକଳା ସମ୍ମାନ, ବିଦ୍ୟାଭାରତୀ ଶିଳ୍ପୀ ସମ୍ମାନ, କ୍ୟାନମାସ କଳାକାର ସମ୍ମାନ ସମେତ ଅନେକ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading