ଜିଲ୍ଲା ସ୍ତରୀୟ ଭାରତୀୟ ସମବାୟ ସପ୍ତାହ ପାଳିତ



କେନ୍ଦ୍ରାପଡ଼ା,୨୦ା୧୧: ୭୧ତମ ଜିଲ୍ଲା ସ୍ତରୀୟ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନରେ ଏକ ଉତ୍ସବ ସମବାୟ ସମିତି ସମୁହର ଉପନିବନ୍ଧକ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶ ପାଇଁ ଚିନ୍ତା କରୁଥିବା ବେଳେ ସମବାୟର ବିକାଶ ପାଇଁ ମଧ୍ୟ ଚିନ୍ତା କରିଛନ୍ତି। ଯେଉଁଥି ପାଇଁ କୃଷି ବିଭାଗରୁ ସମବାୟ ବିଭାଗକୁ ଅଲଗା କରି ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିବା ସହିତ ଅମିତ ସାହଙ୍କ ଭଳି ଜଣେ ଦକ୍ଷ ମନ୍ତ୍ରୀଙ୍କୁ ସମବାୟ ବିଭାଗର ଦାୟୀତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କୃଷକମାନଙ୍କ ବିକାଶ ପାଇଁ ଚିନ୍ତା କରୁଥିବାରୁ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରି ପ୍ରସ୍ତାବ ଗୃହିତ କଲେ। ଚଳିତବର୍ଷ ପ୍ରତ୍ୟେକ ଧାନ ମଣ୍ଡିରେ ସି.ସି. ଟିଭି ଲଗାଯାଉଛି। ଏହାଦ୍ୱାରା ଦଲାଲମାନଙ୍କ ଦ୍ୱାରା ଚାଷୀମାନେ ଆଉ ଶୋଷଣର ଶୀକାର ହେବେନାହିଁ। ଚାଷୀମାନେ ଯେପରି ମଣ୍ଡିରେ ଧାନ ଦେବାରେ କୈାଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସମସ୍ତ ସମବାୟ ସମିତିର କର୍ମକର୍ତ୍ତାମାନେ ଦୃଷ୍ଟିଦେବାକୁ ବିଧାୟକ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଉତ୍ସବରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅନନ୍ତ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମବାୟ ବ୍ୟାଙ୍କ ପକ୍ଷରୁ ଚାଷୀ ତଥା ସମବାୟ ସମିତିର ସଦସ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ଯୋଗଦେଇ କୃଷି ଓ କୃଷକର ବିକାଶ ପାଇଁ ସମବାୟ ସମିତି ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ସେହିପରି ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ଯୋଗଦେଇ କହିଲେ ଯେ ଆମ୍ଭେମାନେ ସମବାୟ ସମିତିର ଆତ୍ମା ଭାବରେ କାର୍ଯ୍ୟ କଲେ ସମବାୟ ସଂସ୍ଥା ଗୁଡିକର ଉନ୍ନତି ସମ୍ଭବ ହୋଇପାରିବ। କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁ ମଧ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ଓ ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ତରରେ ପ୍ରଥମ ହୋଇଥିବା ଜମଧର ପ୍ରାଥମିକ କୃଷି ସମବାୟ ସମିତି, ଦ୍ୱିତୀୟ ହୋଇଥିବା ଭରତପୁର ପ୍ରାଥମିକ କୃଷି ସମବାୟ ସମିତି, ତୃତୀୟ ହୋଇଥିବା କୁଶିଆପାଳ ପ୍ରାଥମିକ କୃଷି ସମବାୟ ସମିତି ସମେତ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ଓ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଭାବଗ୍ରାହୀ କଳା ନିକେତନର କଳାକାରମାନେ ଆବାହନୀ ସଂଗୀତ ଗାନ କରିଥିଲେ। ଏହି ଉତ୍ସବରେ ସମବାୟ ସମିତି ଗୁଡିକର କର୍ମକର୍ତ୍ତା ଓ ସମ୍ପାଦକମାନେ ଯୋଗଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading