ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର , ବିଦ୍ୟା ଅଟଇ ମହାମିତ୍ର ସେ ସଙ୍ଗେ ହୁଅହେ ପବିତ୍ର



ପଟ୍ଟାମୁଣ୍ଡାଇ ୨୨/୧୧ କଳ୍ପତରୁ ନାୟକ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଳଭଦ୍ରପୁର ବାପୁଜୀ ବିଦ୍ୟାପୀଠ ଠାରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିଦ୍ଧେସରେ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ବରିଷ୍ଠ ଆଇନଜିବୀ ଭବାନୀ ଶଙ୍କର ପଣ୍ଡା ପୌରହିତ୍ୟ କରି କହିଥିଲେ ଯେ, ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ବିଦ୍ୟା ଅଟଇ ମହାରତ୍ନ, ହୃଦୟେ ଘେନ କରି ଯତ୍ନ। ବିଦ୍ୟା ଅଟଇ ମହାମିତ୍ର, ସେ ସଙ୍ଗେ ହୁଅ ହେ ପବିତ୍ର। ବିଦ୍ୟା ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ ଭକ୍ତ କବି ମଧୁସୂଦନଙ୍କ ଏହି ବିଲକ୍ଷଣ ଧାଡ଼ି ଜୀବନରେ ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆମମାନଙ୍କୁ ଆଲୋକ ବର୍ତିକା ବାର୍ତା ପ୍ରଦାନ କରୁଛି। ଭାରତର ସମ୍ୱିଧାନରେ ସମସ୍ତ ପିଲାଙ୍କର ପାଠ ପଢିବାର ଅଧିକାର ମଧ୍ୟ ରହିଛି । ପ୍ରତ୍ୟେକ ଶିଶୁଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ । କିନ୍ତୁ ଯଦି ପିଲାଟିଏ ନିଜେ ଅଧ୍ୟୟନ କରିବାକୁ ଚାହିଁବ ନାହିଁ ତେବେ ତାର ଏବଂ ଦେଶର ଭବିଷ୍ୟତ ନଷ୍ଠହେବ । ଏକ ସର୍ଭେରୁ ଜଣାପଡିଛି ଯେ, ଅନେକ ପିଲାମାନେ ନିଜେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ସେଥିପାଇଁ ସେମାନେ ବିଦ୍ୟାଳୟକୁ ଯାଆନ୍ତି ନାହିଁ ।ଜାତୀୟ ନମୁନା ସର୍ଭେ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ପ୍ରାୟ ୨ ପ୍ରତିଶତ ପିଲା ଅଛନ୍ତି ଯେଉଁମାନେ କେବେ ସ୍କୁଲ ଯାଇ ନାହାଁନ୍ତି। କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ପିଲା ସ୍କୁଲ ଯାଆନ୍ତି । ମାତ୍ର ଓଡିଶାର ଅନେକ ଅଂଚଳରେ ଛାତ୍ରୀଛାତ୍ର ମାନେ ଭିନ୍ନ ଭିନ୍ନ କାରଣରୁ ଡ୍ରପଆଉଟ ହୋଇ ସ୍କୁଲ ଛାଡୁଛନ୍ତି । ସେ ପିଲା ଓ ଅଭିଭାବକଙ୍କୁ ବୁଝାଇ ସ୍କୁଲକୁ ଆଣିବାକୁ ଶିକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଅନୁପସ୍ଥିତ ପିଲାଙ୍କ ଘରକୁ ଯାଇ ସେମାନଙ୍କ ପିତାମାତା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲକୁ ଆଣିବାପାଇଁ । ରାଜ୍ୟ ସରକାର ମାଗଣା ବହି, ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ସାଇକେଲ ଓ ବୃତି ଆଦି ଦେଉଥିବା ନେଇ ସଚେତନ କରାଇଥିଲେ । ସ୍କୁଲ ଛାଡିଥିବା ଛାତ୍ରୀଛାତ୍ର ମାନେ କିପରି ସ୍କୁଲକୁ ଫେରି ପାଠପଢି ସୁନାଗରିକ ଭାବେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବାପୁଜୀ ବିଦ୍ୟାପୀଠ ଉପପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ମଲ୍ଲିକ ସ୍କୁଲ ଛାଡିଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା କ୍ଷେତ୍ରରେ ସମସ୍ତେ ସହଯୋଗ କଲେ ସଫଳତା ମିଳିପାରିବ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ଆଇନଜୀବି ଧୀରେନ୍ଦ୍ରନାଥ ସାହୁ, ସୁରେଶ କୁମାର ନରେନ୍ଦ୍ର . ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ଲିଗାଲଏଡ଼ କର୍ମଚାରୀ ମୋହନ ଦାଶ, ପିଏଲଭି ସଭ୍ୟ ରାଜନାରାୟଣ ସାମନ୍ତରାୟଙ୍କ ସମେତ ବିଦ୍ୟାପୀଠର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ କର୍ମଚାରୀ ଓ ବହୁଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶେଷରେ ବାପୁଜୀ ବିଦ୍ୟାପୀଠ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ରାଉତ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading