୭୦ବର୍ଷ ବୃଦ୍ଧଙ୍କ ଭତ୍ତା ଟଙ୍କା ଜମାବହିରୁ କାଟିନେଉଛି ବ୍ୟାଙ୍କ



କେନ୍ଦ୍ରାପଡ଼ା,୨୩ା୧୧: ଜମାବହିରୁ ଭତ୍ତା ଟଙ୍କା ବ୍ୟାଙ୍କ କାଟି ନେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ୭୦ବର୍ଷର ବୃଦ୍ଧ ଶ୍ରୀଧର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ସେ ଜଣେ ଦିନମଜୁରିଆ ହୋଇଥିବା ବେଳେ ଏବେ ବୟସାଧିକ ଯୋଗୁଁ ଆଉ ମୂଲପାତି ଲାଗି ପାରୁନାହାନ୍ତି। ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରି ଚଳୁଛନ୍ତି। ପ୍ରତିମାସରେ ତାଙ୍କ ଭତ୍ତା ବାବଦ ଅର୍ଥ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମେହେନ୍ଦିପୁର ଶାଖାରେ ତାଙ୍କ ନାମରେ ଥିବା ସଞ୍ଚୟ ଜମାବହି ନମ୍ବର ୪୦୬୪୩୪୦୦୬୦୦୦୪୮୭ରେ ଅନ୍‌ଲାଇନ ମାଧ୍ୟମରେ ଆସି ଜମା ହୋଇଥାଏ। ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗରୁ ପ୍ରତିମାସରେ ଏହି ବାର୍ଦ୍ଧକ୍ୟ ଭତ୍ତା ଅର୍ଥ ଆସିଥାଏ। ଗତ ସେପ୍େଟମ୍ବରମାସ ୧୯ତାରିଖରେ ତାଙ୍କ ଜମା ବହିରେ ଭତ୍ତା ବାବଦ ଅର୍ଥ ଜମା ହୋଇଥିଲା। ସେହି ଅର୍ଥକୁ ସଂପୃକ୍ତ ବ୍ୟାଙ୍କ ଶାଖା କତ୍ତୃପକ୍ଷ ତାଙ୍କୁ ନଜଣାଇ ଜମାବହିରୁ ଉଠାଇ ନେଇଥିବା ଶ୍ରୀଧର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହିତ ଅକ୍ଟୋବରମାସରେ ମଧ୍ୟ ବ୍ୟାଙ୍କ ତାଙ୍କ ଜମାବହିରୁ ପୁନର୍ବାର ଅର୍ଥ କାଟିନେଇଥିବା ଅଭିଯୋଗ ହୋଇଛି। ସେ ବ୍ୟାଙ୍କକୁ ଯାଇ ଶାଖା ପରିଚାଳକଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଲେ ଯେ ପୂର୍ବରୁ ଋଣ ଥିବାରୁ ସେ ବାବଦକୁ ଦୁଇଟି କିସ୍ତିରେ ଏକହଜାର ଟଙ୍କା କାଟିନିଆଯାଇଛି। କିନ୍ତୁ ଋଣ ବାବଦକୁ ତାଙ୍କ ଜମାବହିରୁ କାଟିନେଇଥିବା ଏକହଜାର ଟଙ୍କାର କୈାଣସି ରସିଦ ବ୍ୟାଙ୍କ ତାଙ୍କୁ ପ୍ରଦାନ କରିନଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ସ୍ୱାଇଁଙ୍କୁ ସରକାରଙ୍କ ପକ୍ଷରୁ ସାମାଜିକ ନିରାପତ୍ତା ବାବଦକୁ ମିଳୁଥିବା ଅର୍ଥକୁ ତାଙ୍କୁ ନଜଣାଇ ବ୍ୟାଙ୍କ ଏପରି ମନମୁଖୀ ଭାବେ କାଟିନେବା ଅତ୍ୟନ୍ତ ବେଆଇନ ଓ ନିୟମ ବିରୋଧୀ କାର୍ଯ୍ୟ ବୋଲି ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଠାରୁ ତାଙ୍କୁ ମିଳୁଥିବା ମାସିକ ଭତ୍ତା କେବଳ ତାଙ୍କର ଏକମାତ୍ର ସମ୍ବଳ। ସେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରୁହନ୍ତି ବୋଲି କହିଛନ୍ତି। ଏଭଳି ପରିସ୍ଥିତିରେ ବ୍ୟାଙ୍କ ତାଙ୍କ ଜମାବହିରୁ ଭତ୍ତା ବାବଦକୁ ମିଳିଥିବା ଅର୍ଥ କାଟିନେଇ ତାଙ୍କୁ ଆହୁରି ବିପଦ ମଧ୍ୟକୁ ଟାଣି ନେଇଛି। ଯଦି ଖାଦ୍ୟ ବିନା ତାଙ୍କର ମୃତ୍ୟୁ ହୁଏ ତେବେ ସେଥିପାଇଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ମେହେନ୍ଦିପୁର ଶାଖା ଦାୟୀ ରହିବ ବୋଲି ସେ ଜିଲ୍ଲାପାଳଙ୍କୁ ଲେଖିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading