
କେନ୍ଦ୍ରାପଡ଼ା,୨୪ା୧୧: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ଆୟୋଜିତ ଓଷ୍ଟା ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା(ଓଟିଏସ୍ଇ)୨୦୨୪-୨୫ ରବିବାର ୨୪ ନଭେମ୍ବର ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୯୨ଟି ପରୀକ୍ଷା କେନ୍ଦ୍ରରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୯ହଜାର ୮ଶହ ୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ବୋଲି ଓଟିଏସ୍ଇର ଅଧ୍ୟକ୍ଷ ଶିକ୍ଷକନେତା ପ୍ରଣବ କୁମାର ଜେନା ସୂଚନା ଦେଇଛନ୍ତି । ଏହି ପରୀକ୍ଷାରେ ପ୍ରଥମ ୧୦୦ଟି ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ୩ହଜାର ଟଙ୍କା ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥାଏ । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ୧୦ଟି ପରୀକ୍ଷା କେନ୍ଦ୍ରରେ ୧୨୦୦ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏହି ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷାରେ ଭାଗ ନେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଗୁଲନଗର ହାଇସ୍କୁଲ, ଡେରାବିଶ ବ୍ଲକର ମାରୁତି ଉଚ୍ଚ ବିଦ୍ୟାପୀଠ, ବାଘିଲୋ ବାବନପୁର, ମାର୍ଶାଘାଇ ବ୍ଲକର ପଞ୍ଚାୟତ ହାଇସ୍କୁଲ, ଅଙ୍ଗୁଳାଇ ଓ ଆଖୁଆ ଅଢଙ୍ଗ ସରକାରୀ ହାଇସ୍କୁଲ, ଗରଦପୁର ବ୍ଲକର ପାଟକୁରା ସରକାରୀ ହାଇସ୍କୁଲ, ମହାକାଳପଡା ବ୍ଲକର ଯୁଗରୂପା ବିଦ୍ୟା ନିକେତନ, ଚଢେଇଗୁଆଁ, ରାଜନଗର ବ୍ଲକର ରାଜନଗର ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ବିଦ୍ୟାଳୟ, ଆଳି ବ୍ଲକର ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ, ରାଜକନିକା ବ୍ଲକର ରାଜକନିକା ସରକାରୀ ବାଳିକା ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ସମାହିତ ହୋଇଛି । ପରୀକ୍ଷା କେନ୍ଦ୍ରର ପରୀକ୍ଷା ପରିଚାଳକ ଓ ପର୍ଯ୍ୟବେକ୍ଷକମାନଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାକୁ ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, ସମ୍ପାଦକ ଭଗବାନ ସାହୁ, ଉପସଭାପତି ସଞ୍ଜୟ କୁମାର ସାମଲ, ଯୁଗ୍ମ ସମ୍ପାଦିକା ସରୋଜିନୀ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ, ବ୍ଲକ ସମ୍ପାଦକ ସମୀରଣ ମଣ୍ଡଳ, ପ୍ରସନ୍ନ କୁମାର ପରିଡା, ମଳୟ କୁମାର ପାଣି, ରଘୁନାଥ ଦାସ, ଗଗନ ବିହାରୀ ସୂତାର, ଅକ୍ଷୟ କୁମାର ମହାନ୍ତି, ନାରାୟଣ ପଣ୍ଡା, ଅରବିନ୍ଦ ନାୟକ, ଦେବରାଜ ନାୟକଙ୍କ ସମେତ ବିଭିନ୍ନ ବ୍ଲକର ଓଷ୍ଟା ସଭାପତିମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ଅଷ୍ଟମ ଶ୍ରେଣୀରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏହି ମେଧାବୃତ୍ତି ପରୀକ୍ଷା ଦେବାପାଇଁ ଯୋଗ୍ୟ ହୋଇଥାନ୍ତି ।










